ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ବରଗଡ଼ ଜିଲ୍ଲାର ସୋହେଲା ଠାରେ ଇନପୁଟ ସହାୟତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମାଦ୍ରି କାଲୋ ଭବନ ପରିସରରେ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ବେଶ୍ର।, ଡି ଆର୍ ସି ଏସ ଶ୍ରୀ ଉମା ଶଙ୍କର ଦାସ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟା ରେ ଚାଷୀ ଭାଇଭଉଣୀମାନେ ଯୋଗ ଦେଇଥିଲେ ଏବଂ ସୋହେଲା ଠାରେ ହେଉଥିବା ଏହି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ଦେଖିଥିଲେ ।

କାର୍ଯ୍ୟକ୍ରମରେ ଡି ଆର୍ ସି ଏସ ଶ୍ରୀ ଉମା ଶଙ୍କର ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଇନପୁଟ ସହାୟତା ରାଶି ଉପରେ ସୂଚନା ଦେଇଥିଲେ । ଚାଷୀମାନଙ୍କୁ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରାଯିବା ନେଇ ସେ ସୂଚନା ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ଏହି ଇନପୁଟ ସହାୟତା ଚାଷୀ ମାନଂକର ଉନ୍ନତି ଆଣିବାରେ ଦିଗରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିବା ସହିତ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା, ମଣ୍ଡି ପରିଚାଳନା ଆଦି ନିମନ୍ତେ ସରକାର ଏବଂ ପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସୁବିଧା ସୁଯୋଗ ଆଦି ଗୁଡିକ ଉପରେ ଆଲୋକପାତ କରିଥିଲେ। ଚାଷୀ ମାନେ ଡିଜିଟାଲ ମିଟର ମାଧ୍ୟମରେ ନିଜ ଧାନର ଜଳୀୟ ଅଂଶ ଏବଂ ଅନ୍ୟାନ୍ୟ ଆଧୁନିକ ଉପକରଣ ମାଧ୍ୟମରେ ଧାନର ଗୁଣବତ୍ତା ସମ୍ପର୍କରେ ଅବଗତ ହେବା, ମଣ୍ଡି ମାନଙ୍କରେ ଚାଷୀମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ସୁବିଧା ଆଦି ଉପରେ ଆଲୋଚନା କରିଥିଲେ । ସେହିଭଳି ଚାଷୀମାନଙ୍କର ଚାଷ ସମ୍ବନ୍ଧୀୟ କୌଣସି ସମସ୍ୟା, ଦ୍ୱିଧା ଆଦି ରହିଥିଲେ ବିଭାଗ ତଥା ପ୍ରଶାସନ ସବୁବେଳେ ଚାଷୀ ମାନଂକ ସହଯୋଗ ନିମନ୍ତେ ଉପଲବ୍ଧ ଅଛନ୍ତି ବୋଲି କହିଥିଲେ।
ସେହିଭଳି ଚାଷୀମାନେ କିଭଳି ଭାବେ ତାଙ୍କ କ୍ଷେତ ରେ ଭଲ ଉତ୍ପାଦନ କରି ପାରିବେ, କିଭଳି ଭାବେ ଚାଷୀଙ୍କ ଉନ୍ନତି ଘଟିବା ସହିତ ତାଙ୍କ ଆର୍ଥିକ ମାନଦଣ୍ଡରେ ବିକାଶ ଘଟିବ, ଜିଲ୍ଲା ସହିତ ସମଗ୍ର ରାଜ୍ୟ ରେ କିଭଳି ଭାବେ ଚାଷ ପ୍ରତି ଆଗ୍ରହ ବଢିବ ତାହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଂକ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ଦ୍ଵାରା ବିଭାଗୀୟ ଷ୍ଟଲ ଗୁଡ଼ିକ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ଅତିଥି ଏହି ବିଭାଗୀୟ ଷ୍ଟଲ ବୁଲି ଦେଖିଥିଲେ ।