ପଞ୍ଜାବରୁ ଆସିଲା ୩୦୦ କୁଇଁଣ୍ଟାଲ ଆଳୁ ବିହନ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ଅଧିନ ୮ଟି ବ୍ଲକରେ ଚଳିତବର୍ଷ ୧୮୦ ହେକ୍ଟର ଜମିରେ ଆଳୁ ଚାଷ ହେବାକୁ ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ରଖିଛି । ଗୁରୁବାର ଆଉ ୩୦୦ କୁଇଁଣ୍ଟାଲର ବିହନ ଆଳୁ ପଞ୍ଜାବରୁ ଆସି ଭଞ୍ଜନଗରରେ ପହଞ୍ଚିଛି । ଏହା ଜଗନ୍ନାଥପ୍ରସାଦ ଓ ଭଞ୍ଜନଗର ବ୍ଲକର ଚାଷୀଙ୍କୁ ପ୍ରଦାନ କରାଯାଇଛି । ବିଗତବର୍ଷ ଗୁଡିକରେ ଚାଷୀ ଆଳୁ ଚାଷ କରିବା ସମୟରେ ବିଭାଗ ପକ୍ଷରୁ ଚାହିବା ମୁତାବକ ବିହନ ଯୋଗାଇ ଦିଆ ଯାଉନଥିଲା । ଚାଷୀମାନେ ସୁଲଭ ଦରରେ ବିହନ ପାଇ ପାରୁ ନଥିଲେ । ଖୋଲା ବଜାରରେ ଆଳୁ ବିହନ ଦର ଆକାଶଛୁଆଁ ଥିବାରୁ ଚାଷୀମାନେ ଆଳୁ ଚାଷ କରୁନଥିଲେ । କିନ୍ତୁ ଚଳିତ ନିର୍ବାଚନରେ ସରକାର ବଦଳିବା ପରେ ଆଳୁ ଚାଷ ପାଇଁ ମୋହନ ସରକାର ଗୁରୁତ୍ୱ ଦେଇଛନ୍ତି । ଚଳିତବର୍ଷ ଉପଖଣ୍ଡର ୧୮୦ ହେକ୍ଟର ଜମିରେ ଆଳୁ ଚାଷ କରାଯିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉନ୍ନତ ମାନର ବିହନ କେଜି ପ୍ରତି ୨୦ ଟଙ୍କାରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ଏଥିପାଇଁ ୨୩୪୦ କୁଇଁଣ୍ଟାଲର ବିହନ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉପଖଣ୍ଡକୁ ଦୁଇଟି ପଯ୍ୟାୟରେ ୪୧୦ ଓ ୩୦୦ କୁଇଣ୍ଟାଲର କୁ ଫ୍ରିଜ୍ୟୋତି କିସମର ବିହନ ପଞ୍ଜାବରୁ ଆସି ପହଞ୍ଚିଛି।