ଦାରିଙ୍ଗବାଡି ଠାରେ ବ୍ଲକ ସ୍ତରିୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ….

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସ୍ଥାନୀୟ ମିଶ୍ର କଲ୍ୟାଣୀ ମଣ୍ଡପ ଠାରେ ମଙ୍ଗଳବାରଦିନ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି l ଏହି ଅବସରରେ କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଙ୍ଗଠନ ଓ ସେଲକୋ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ  ବ୍ଲକ୍ ଅଞ୍ଚଳର ଭିନ୍ନକ୍ଷମମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସାମାଜିକ ଅଧିକାରୀ କ୍ଷୀତିଶ ପ୍ରିୟଦର୍ଶୀ ସାହୁ, ଆଇଆଇସି ଆଶୋକ କୁମାର ହାଁସଦା, ସେଲକୋ ଫାଉଣ୍ଡେସନ ଓଡ଼ିଶା ମୁଖ୍ୟ ଗୌତମ ପ୍ରଧାନ, ସବୁଜବୈଦ୍ୟ ସଙ୍ଗଠନର ସମ୍ପାଦକ ଦୀନବନ୍ଧୁ ମହାରଣା,ଏସବିଆଇ ଫିଲ୍ଡ ଅଫିସର ସନ୍ତୋଷ ସାହୁ ପ୍ରମୂଖ ଯୋଗ ଦେଇ ଉପସ୍ଥିତ ଥିବା ଭିନ୍ନକ୍ଷମମାନଙ୍କ ଦୁର୍ବଳ ମାନସିକତାକୁ ସୁଦୃଢ଼ କରିବାକୁ ଉଦବୋଧନ ଦେଇଥିଲେ । ଈଶ୍ବରଙ୍କ ସମସ୍ତ ସୃଷ୍ଠି ମଧ୍ୟରେ ଦିବ୍ୟାଙ୍ଗ ବା ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଗୋଟିଏ ସ୍ଵତନ୍ତ୍ର ସୃଷ୍ଠି, ମନୁଷ୍ୟ ଜାଣିଶୁଣି କାହାକୁ ଦିବ୍ୟାଙ୍ଗ କରି ଜନ୍ମ ଦେଇ ନ ଥାଏ କିମ୍ବା କେହି ଜାଣିଶୁଣି ଦିବ୍ୟାଙ୍ଗ ହୋଇ ଜନ୍ମ ଗ୍ରହଣ କରି ନ ଥାଆନ୍ତି l ତଥାପି ଦିବ୍ୟାଙ୍ଗ ମାନଙ୍କ ପ୍ରତି ସମାଜର କିଛି ଭ୍ରାନ୍ତ ଚିନ୍ତାଧାରା ଓ ନକାରାତ୍ମକ କଥା ସେମାନଙ୍କ ମନୋବଳକୁ ଦୁର୍ବଳ କରି ଦେଇ ଥାଏ । କିନ୍ତୁ ବିଭିନ୍ନ ସର୍ଭେରୁ ଜଣା ପଡ଼ିଛି ଯେ ଦିବ୍ୟାଙ୍ଗ ହେଲେ ସୁଦ୍ଧା ସେମାନଙ୍କ କାର୍ଯ୍ଯ ଦକ୍ଷତା କୌଣସି ସର୍ବ ସାଧାରଣ ଲୋକଙ୍କ ଠାରୁ କିଛି କମ୍ ନୁହଁ । ଏଣୁ ସରକାର ସେମାନଙ୍କ ପାଇଁ ସ୍ବତନ୍ତ୍ର ଦାୟିତ୍ଵ ନେଇ ଅଗ୍ରାଧିକାର ଭିତ୍ତିରେ ପାଠପଢା, ଚାକିରୀ ତଥା ସ୍ୱାବଲମ୍ବି ହେବା କ୍ଷେତ୍ରରେ ବିଭିନ୍ନ ଧନ୍ଦା ମୂଳକ କାର୍ଯ୍ୟ ଯୋଗାଇବା ସହ ବିଭିନ୍ନ ସ୍ବେଛାସେବୀ ସଂଗଠନ ଜରୀଆରେ କାର୍ଯ୍ଯ କରୁଛନ୍ତି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସବୁଜ ବୈଦ୍ୟ ସଙ୍ଗଠନ ଏହାର ସ୍ଵତନ୍ତ୍ର ଦାୟିତ୍ଵ ନେଇ ଭିନ୍ନ କ୍ଷମମାନଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବା ବେଳେ ସେଲକୋ ଫାଉଣ୍ଡେସନ ମଧ୍ୟ ସହଯୋଗ ର ହାତ ବଢ଼ାଇଛି । ସରକାରୀ ସ୍ତରରେ ଯେଉଁ ସବୁ ସୁବିଧା ଉପଲବଧ ଅଛି ତାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାକୁ ବିଡିଓ ପ୍ରୀତି ରଞ୍ଜନ ରଥ ପ୍ରତିଶ୍ରୁତି ଦେଇଛନ୍ତି l ବିଶେଷ କରି ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତି କାହା ଭରଷାରେ ରହିବେ ନାହିଁ ତେଣୁ ସେମାନଙ୍କ ପାଇଁ ଆବାସ ଯୋଜନାରେ ସାମିଲ କରି ସମସ୍ତଙ୍କୁ ଘର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହାସହିତ ସରକାରୀ ସୁବିଧା ଯୋଗାଇବା କ୍ଷେତ୍ରରେ ଗୋଷ୍ଠି ସାମାଜିକ ଅଧିକାରୀ ଗୋଷ୍ଠୀ ସାମାଜିକ ଅଧିକାରୀ କ୍ଷୀତିଶ ପ୍ରିୟଦର୍ଶୀ ସାହୁ କହିଛନ୍ତି କି ପ୍ରତ୍ୟେକ ବ୍ୟକ୍ତି ଯେପରି ଭତ୍ତା ପାଇବାରୁ ଏବଂ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବେ।
ଶେଷରେ ସବୁଜବୈଦ୍ୟ ସଙ୍ଗଠନର ସମ୍ପାଦକ ଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗୋଷ୍ଠୀ ଶିକ୍ଷାକେନ୍ଦ୍ର କାର୍ଯ୍ୟଳୟ ପକ୍ଷରୁ ରାପଡ଼ାବାଡ଼ି  ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ଏବିଓ ଗୋକୁଲା ନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତହସିଲଦାର ଶରତ ଶବର, ମୁଖ୍ୟବକ୍ତା ସିମନ୍ ବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ଆଶୋକ କୁମାର ହାଁସଦା, ରପଡ଼ା ବାଡ଼ି ପ୍ରଧାନ ଶିକ୍ଷୟିତ୍ରୀ ଚାରୁ ଶିଳା ମଲ୍ଲିକ, ଗୋଷ୍ଠି ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ପ୍ରମୁଖ ଯୋଗ ଦେଇଥିଲେ, ଜଣେ ବି ଦିବ୍ୟାଙ୍ଗ ନିରକ୍ଷର ରହିବେ ନାହିଁ ନାରା ଦେଇ ବିଇଓ କାର୍ଯ୍ୟଳୟ ଠାରୁ ଏକ ଶୋଭାଯାତ୍ରାରେ ବହାରି ଚାରି ଛକ ଦେଇ ନଗର ପରିକ୍ରମା କରିଥିଲେ l ପରେ ବିଦ୍ୟାଳୟ ପରିସରରେ ସେମାନଙ୍କର ଖେଳ କୁଦ, ଭାଷଣ, ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇ ଥିଲା ଏବଂ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା l ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବୁର୍ଯୁବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରସାନ୍ତ କୁମାର ସାହୁ ସଂଯୋଜନା କରୁଥିବା ବେଳେ ବିଇଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ସହଯୋଗ କରି ଥିଲେ l