ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ସାନ ଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ସ୍ଥିତି ଦିନକୁ ଦିନ ରୋଚକ ସ୍ଥିତିରେ ପହଞ୍ଚିବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରତିନିଧିତ୍ଵ କରୁଥିବା ବେଳେ ଉଭୟ ଧରାକୋଟ ଓ ପାଟପୁର ବ୍ଲକ ଅଧ୍ୟକ୍ଷ ପଦ ସହ ଅଧିକାଂଶ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ବିଜୁ ଜନତା ଦଳର କବଜାରେ ରହିଛି । ଅନ୍ୟ ପଟରେ ସମ୍ପ୍ରତି ରାଜ୍ୟରେ ଶାସନ ଭାର ଭାରତୀୟ ଜନତା ପାର୍ଟି ହାତରେ ରହିଛି । ଏଣୁ ବିଜେପିର ନେତାମାନେ ଜେନ ତେନ ପ୍ରକାରେ ଉଭୟ ବ୍ଲକରେ ନିଜର ସଂଗଠନ ବଢାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପ୍ରୟୋଗ କରୁଥିବାର ଅଭିଯୋଗ ଆଣିଛନ୍ତି ବିଧାୟକଙ୍କ ସମର୍ଥକ । ଏଭଳି ଏକ ଅଣ ନିଶ୍ୱାସି ପରିସ୍ଥିତିରେ ଧରାକୋଟ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶାସକ ଦଳର ନେତାଙ୍କ ଅଯଥା ହସ୍ତକ୍ଷେପ କରିବା ଏଥିରେ ବ୍ୟତିକ୍ରମ ହେଲେ ପ୍ରଶାସନିକ ଅଧିକାରୀଙ୍କୁ ବଦଳିର ଧମକ ଦେବାର ପ୍ରତିବାଦ କରିବା ପାଇଁ ଆଜି ବ୍ଲକ କାର୍ଯ୍ୟଳୟରେ କଂଗ୍ରେସ ଦଳର ଆଗ ଧାଡ଼ିର ନେତା, ପଞ୍ଚାୟତ ପ୍ରତିନିଧି ଓ ଛାମୁଆ କର୍ମୀମାନେ ମେଳିବାନ୍ଧିବା ସହ ବିଡିଓ ଡେନିସ ବେହେରାଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଆଜି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସମର୍ଥିତ ଜାହାଡା ସରପଞ୍ଚ ସତ୍ୟବାଦୀ ସ୍ୱାଇଁ, ଗୋଲା ଦାମୋଦର ପଲି ସରପଞ୍ଚ କମଳ ଲୋଚନ ରେଡ୍ଡୀ, ରୁଗୁମୁ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ମୁଣ୍ଡମରାଇ ସମିତି ସଭ୍ୟ ମାନିନୀ ପାତ୍ର, ସିଙ୍ଗିପୁର ସମିତି ସଭ୍ୟ ମମତା ଦାସଙ୍କ ସମେତ ପଞ୍ଚାୟତ ସ୍ତରର କଂଗ୍ରେସ ସଂଗଠକ ଶତ୍ରୁଘ୍ନ ଗୌଡ଼, ସୁନିଲ ଚୌଧୁରୀ, ସୁଧାକର ସ୍ୱାଇଁ, ବାସୁଦେବ ପାତ୍ର, ଶିବରାମ ବାଡତ୍ୟା, ଅନ୍ତର୍ଯ୍ୟାମୀ ପ୍ରଧାନ, ସୀମାଞ୍ଚଳ ରେଡ୍ଡୀ, ନିରଞ୍ଜନ ଛାଟୋଇ, ପାଣ୍ଡବ ଭୂୟାଁ, ସନ୍ତୋଷ ଭୂୟାଁ, ପ୍ରସନ୍ନ ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ବିଡିଓଙ୍କୁ ସାକ୍ଷାତ କରି ବିଧାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳନା କରିବା, ବିଭିନ୍ନ ସମୟରେ ସରକାରୀ ଦଳର ନେତାମାନେ ବ୍ଲକ ପ୍ରଶାସନ ଉପରେ କରୁଥିବା ଅଯଥା ଚାପ ପ୍ରୟୋଗକୁ ପ୍ରତିହତ କରିବା, ଏପରିକି ଶାସକ ଦଳର କଥା ନାମାନିଲେ ଏଠାରୁ ଅନ୍ୟତ୍ର ବଦଳି କରିବା ପାଇଁ ଧମକ ଦେବା ଉପରେ ଗୁରୁତ୍ବ ନଦେବା, ବ୍ଲକ ସ୍ତରର ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ , ବିଧାୟକଙ୍କ କଥାକୁ ପ୍ରାଧାନ୍ୟ ଦେଇ ନିରପେକ୍ଷ ଓ ସ୍ବାଧିନ ଭାବେ କର୍ଯ୍ୟକରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଆଜିର ଏହି ଘଟଣା ପରେ ଆଗାମୀ ଦିନରେ ଶାସକ ଦଳ ଓ ବିଧାୟକଙ୍କ ସମର୍ଥକ ମୁହମୁହିଁ ହେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି ।