“ଅନୁସନ୍ଧାନ ଭାରତ”ର ପ୍ରଭାବ ହାତୀମୁଣ୍ଡା ସରପଞ୍ଚଙ୍କ ଅନାସ୍ଥା ପାଇଁ ପ୍ରକ୍ରିୟା ଆରମ୍ଭ କଲା ଜିଲ୍ଲା ପ୍ରଶାସନ…..

ଅନୁସନ୍ଧାନ ଭାରତ(ବ୍ୟୁର): “ଅନୁସନ୍ଧାନ ଭାରତ” ଡିଜିଟାଲ ମିଡ଼ିଆ/ଖବର କାଗଜର ପ୍ରଭାବରେ ଦୀର୍ଘ 45 ଦିନରୁ ଉର୍ଦ୍ଧ୍ୱ ସମୟ ଧରି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହି ଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ଗ୍ରାମ ପଂଚାୟତ ସରପଞ୍ଚ ନବନିତା କପଟପାତ୍ର ବିରୋଧରେ ଆସି ଥିବା ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଛି l ଗତ 22 ନଭେମ୍ବର 2024ରେ ଏହି ଖବର “ଅନୁସନ୍ଧାନ ଭାରତ”ରେ ପ୍ରକାଶିତ ହୋଇ ଥିଲା l ଖବର ପ୍ରକାଶିତ ହେବା ପରେ ହଠାତ 24 ତାରିଖରେ ହାତୀମୁଣ୍ଡା ଗ୍ରାମ ପଂଚାୟତ ୱାର୍ଡ 12ର ୱାର୍ଡ ମେମ୍ବର ମିଶ୍ର ମଲିକଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଦାଖଲ ପାଇଁ ଫୋନ ଯାଇ ଥିଲା l ଫୋନ କଲ ପାଇବା ପରେ 26/11/2024 ତାରିଖରେ 9 ଜଣ ୱାର୍ଡ ମେମ୍ବର ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ କାଗଜ ପତ୍ର ଦାଖଲ କରି ଛନ୍ତି l ଯଥା ଶୀଘ୍ର ଅର୍ଥାତ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶୃତି ମିଳିଥିବା ୱାର୍ଡ ମେମ୍ବର ମିଶ୍ର ମଲିକ ସୂଚନା ଦେଇ ଛନ୍ତି l ସୂଚନା ଥାଉକି ଗତ ଅକ୍ଟୋବର ମାସରେ ହାତୀମୁଣ୍ଡା ଗ୍ରାମ ପଂଚାୟତର 8 ଜଣ ୱାର୍ଡମେମ୍ବର ତବିତା ମଲିକ, ସୁନ୍ଦର ମତି ମଲିକ, ବବିତା ମଲିକ, ପ୍ରତିଭା ବଳିଆରସିଂ, ସଶ୍ମିତା ମଲିକ, ମିଶ୍ର ମଲିକ ବାଇରା ମଲିକ ଓ ରଞ୍ଜିତା ମଲିକ ମିଳିତ ଭାବରେ ସରପଞ୍ଚ ନବନିତା କପଟପାତ୍ରଙ୍କ ବିରୋଧରେ ଅନାସ୍ଥା ପାଇଁ ଘୋଷଣା ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ଏହି ଅନାସ୍ଥା ପ୍ରସ୍ତାବ ଦୀର୍ଘ ଦିନ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହି ଥିଲା l ଶେଷରେ ନିରାଶ ହୋଇ ହାତୀମୁଣ୍ଡା ଗ୍ରାମ ପଂଚାୟତର ୱାର୍ଡ ମେମ୍ବର ଗଣମାଧ୍ୟମର ସାହାରା ନେଇ ଥିଲେ l ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ “ଅନୁସନ୍ଧାନ ଭାରତ” ଡିଜିଟାଲ ମେଡ଼ିଆ/ଖବର କାଗଜର ଏକ ଦଳ ଗ୍ରାଉଣ୍ଡ ଜିରୋକୁ ଯାଇ ଖବର ସଂଗ୍ରହ ସହ ଜନସାଧାରଣ, ସରପଞ୍ଚ, ୱାର୍ଡ ମେମ୍ବର ଓ ପଂଚାୟତରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମତାମତ ନେଇ ଖବର ପ୍ରସାରଣ କରି ଥିଲା l ଯାହାକୁ ଦେଖିବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି ଓ ଅନାସ୍ଥା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି l