ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ବିରାଟ କଳସ ଯାତ୍ରା, ଭଞ୍ଜନଗର ସହରରେ ଆଧ୍ୟାତ୍ମିକ ପରିବେଶ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପଡିଆରେ ମହାଆଡ଼ମ୍ବର ସହକାରେ ୨୧ କୁଣ୍ଡିୟ ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ ହେବ । ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଶୁକ୍ରବାର ସକାଳୁ ସହରରେ ମହିଳାଙ୍କ ଦ୍ବାରା କଳସ ଶୋଭାଯାତ୍ରା ହୋଇଛି । ଏଥି ପୂର୍ବରୁ ଭୋର ସକାଳେ ବିଧାୟକ ଶ୍ରୀ ନାୟକ ଓ ତାଙ୍କ ସହଧର୍ମିଣୀ ବେଡିଗୋବା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଜ୍ଞାମାଳ ଆଣି ଆସିଥିଲେ । ସହର ନିକଟ ଦେଇ ପ୍ରବାହିତ ଲୋହୁରାଖଣ୍ଡି ନଦୀରୁ ୧୦୦୮ରୁ ଉର୍ଦ୍ଧ୍ବ ମହିଳା ପାଣି ସଂଗ୍ରହ କରି ବିରାଟ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ଆସିଥିଲେ । ଏଥିରେ ସହର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।  ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ, ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶୋଭାଯାତ୍ରାରେ ସାମିଲ ହୋଇ ଯଜ୍ଞ ମଣ୍ଡପକୁ ଆସିଥିଲେ । ପାଞ୍ଚ ଦିନ ବ୍ୟାପି ବିଶ୍ବସାନ୍ତି ଯଜ୍ଞରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଗୋ-ଯଜ୍ଞ, ଜ୍ଞାନଯଜ୍ଞ  ଭଳି ପଞ୍ଚମହାଯଜ୍ଞ  ଅନୁଷ୍ଠିତ ହେବ । ଏହି ଯଜ୍ଞରେ ରାଜ୍ୟ ଓ ରାଜ୍ୟ ବାହାରର ଅଯୋଧ୍ୟା, ବୃନ୍ଦାବନ, ଦ୍ବାରିକା, ରିଶିକେଶ, ରାମେଶ୍ବରମ ଭଳି ବିଭିନ୍ନ ସ୍ଥାନରୁ ଅନେକ ସାଧୁ ସନ୍ଥ ଆସି ଭଞ୍ଜନଗରରେ ପହଞ୍ଚିଛନ୍ତି । ଭଞ୍ଜନଗର ଭଳି ଗୋଟେ ଛୋଟ ସହରରେ ଏତେ ସଂଖ୍ୟକ ସାଧୁ ସନ୍ଥ ଯୋଗ ଦେଇଥିବାରୁ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଯଜ୍ଞରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ଘଟେ ସେଥିପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ନାୟକ ପ୍ରତି ମୁହୁର୍ତ୍ତରେ ସମୀକ୍ଷା କରୁଛନ୍ତି । ୨୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତେକ ଦିନ ୨୦ ହଜାର ଭକ୍ତ ବିଶ୍ୱ ଶାନ୍ତି ମହା ଯଜ୍ଞ ଦର୍ଶନ କରିବେ । ପ୍ରତ୍ୟେକ ଦିନ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ଯଜ୍ଞ ପାଇଁ ଭଞ୍ଜନଗର ସହର ଆଲୋକ ମାଳାରେ ଝଲସି ଉଠୁଛି । ସାରା ସହର ଏବେ ଉତ୍ସବ ମୁଖର ହୋଇ ଉଠିଛି । ମହା ଯଜ୍ଞରେ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳ ଓ ଜିଲ୍ଲା ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗଦେବେ ।