ଆମ୍ବ ଟାକୁଆ ଟ୍ରାଜେଡିକୁ ନେଇ କନ୍ଧମାଳ ସ୍ବଚ୍ଛାସେବୀ ମହାସଂଘର ପ୍ରେସ ବିବୃତ୍ତି, ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣଙ୍କ ମୃତ୍ୟୁ ପରେ ବି ସରକାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିନାହାଁନ୍ତି l ଯାହାକୁ ନେଇ ରାଜନୀତି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ କନ୍ଧମାଳ ସ୍ବେଛାସେବୀ ମହାସଂଘ ପକ୍ଷରୁ ମଙ୍ଗଳବାର ଦିନ ସ୍ଥାନୀୟ ଜାଗୃତି ସଭା ଗୃହରେ ଏକ ପ୍ରେସ ବିଜ୍ଞପ୍ତି ଜରୀଆରେ ସରକାରଙ୍କ ନିକଟରେ ୧୪ ଦଫା ଦାବୀ ଉପସ୍ଥାପନ କରିଛନ୍ତି । ଫୁଲବାଣୀ ଆକ୍ସନ ଗ୍ରୁପର ଏକ ତଥ୍ୟ ଅନୁସନ୍ଧାନ ଦଳ ମାଣ୍ଡିପଙ୍କା ଗ୍ରାମକୁ ଯାଇଥିଲା । ଏହାର ସଦସ୍ୟମାନେ କୈଳାସ ଚନ୍ଦ୍ର ଦଣ୍ଡପାଟ(ସମ୍ପାଦକ, ଜାଗୃତି), ମଦନ ସୁଆଲ ସିଂ (ସମ୍ପାଦକ, ଜନ ବିକାସ), କିଶୋର ବଳିଆର ସିଂହ (ସମ୍ପାଦକ, ଆମ ଗାଁ ) ଓ ଦେବାଶିଷ ନାୟକ (ସ୍ବାତି), ବିମଳ ପରିଚ୍ଛା (ଆଜ୍ କା, ସମ୍ପାଦକ) ପ୍ରମୁଖ ସାମିଲ ଥିଲେ । ଗ୍ରାମ ଲୋକମାନଙ୍କ ତଥ୍ୟ ଅନୁସାରେ, ମାଣ୍ଡିପଙ୍କା ଏକ ଆଦିବାସୀ ବହୁଳ ଗ୍ରାମ, ଯେଉଁଠାରେ ୨୨୫ଟି ପରିବାର ଓ ୯୨୨ ଜନସଂଖ୍ୟା ଅଛି । ଏଥିରୁ ୧୩୫ଟି ପରିବାର ଆଦିବାସୀ ଓ ୯୦ଟି ଦଳିତ ବର୍ଗ l ଗ୍ରାମଟି ଗଦାପୁର ପଞ୍ଚାୟତ ମୁଖ୍ୟାଳୟରୁ ୮ କି.ମି ଦୂରରେ ଅବସ୍ଥିତ । ଏଠାରେ ୧୮୫ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବେଳେ ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଦୁଇଟି ଆଙ୍ଗନବାଡ଼ୀ କେନ୍ଦ୍ର ରହିଅଛି । ଗ୍ରାମଟିର ନିକଟତମ ଚିକିତ୍ସା କେନ୍ଦ୍ର ବାମୁଣିଗାଁରେ ଅଛି l ଯାହା ୧୦ କିଲୋମିଟର ଦୂରରେ ଅବସ୍ଥିତ ଓ କୌଣସି ନେଟୱାର୍କ ସୁବିଧା ନାହିଁ । ଗ୍ରାମବାସୀମାନେ ତାଙ୍କର PDS ଚାଉଳ ବ୍ରାହ୍ମଣୀଗାଁରୁ ନେଇ ଥାନ୍ତି । ଗତ ୨୯ ଅକ୍ଟୋବର ୨୦୨୪ ମସିହାରେ ଚାରିଟି ପରିବାର ଆମ୍ବ କୋଇଲି ପ୍ରସ୍ତୁତ କରି ଖାଇବା ପାଇଁ ରଖିଥିଲେ । ୨୯ ଅକ୍ଟୋବରରେ ଏହାର କିଛି ଅଂଶ ଜାଉ କରି ସାହିର ପ୍ରାୟ ୨୦ ଜଣ ଲୋକ ଖାଇଥିଲେ ଓ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିଲା । ୩୧ ଅକ୍ଟୋବରରେ ଅର୍ଦ୍ଧ ପ୍ରସ୍ତୁତ ଆମ୍ବ କୋଇଲି ଭାଜି ୮ ଜଣ ମହିଳା ଖାଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଲା ଓ ଅନ୍ୟ ୬ ଜଣ ଚିକିତ୍ସାଧୀନ ଥିଲେ । ତନ୍ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତକାଲି ଜିତା ମାଝୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଗାମୀ ଦିନରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନହେବା ପାଇଁ ନିମ୍ନ ଲିଖତ ପ୍ରସ୍ତାବଗୁଡିକ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରାଗଲା ଯଥା: PDS ଚାଉଳ ମାସିକ ଭିଭିରେ ବଣ୍ଟନ କରାଯାଇ ଏହାକୁ ଅତିକମରେ ମୁଣ୍ଡ ପିଛା ୧୦ କେଜି ପ୍ରଦାନ । ଆଦିବାସୀ ବହୁଳ ଅଞ୍ଚଳର ଦୁଗ୍ଧ ତଥା ଭଲନରେବୁଲ ପରିବାରଙ୍କୁ ଅତିରିକ୍ତ ୧୦ କିଲୋ ଚାଉଳ ସହ ଡାଲି ଯୋଗାଇ ଦିଆଯିବା, ଆଦିବାସୀ ଅଞ୍ଚଳରେ କୃଷି ଓ ଲଘୁ ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ଧାର୍ଯ୍ୟ କରି ବଜାର ବ୍ୟବସ୍ଥା କରିବା ସହିତ ସର୍ବ ନିମ୍ନ ବଜାର ଦର ସୁନିଶ୍ଚିତ କରାଯାଉ । ଗ୍ରାମ ନିକଟରେ କାମ ସୃଷ୍ଟି ଓ ମନରେଗାକୁ ସ୍ବଚ୍ଛତାର ସହିତ ଲାଗୁକରାଯାଇ, ଠିକ ସମୟରେ ପ୍ରାପ୍ୟ ପ୍ରଦାନର ସୁନିଶ୍ଚିତ କରାଯିବା । ଜୁଲାଇ ମାସଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଭାବି ସମୟରେ ଖାଦ୍ୟ ପାଇଁ କାମ ଯୋଜନା କରାଯାଉ । ଅତି ଅଭାବି ଗ୍ରାମକୁ ଚିହ୍ନଟିକରଣ ଓ ଏହା ପାଇଁ ସ୍ବତନ୍ତ୍ର ଯୋଜନା । ବ୍ରାହ୍ମଣୀଗାଁ ଓ ଗୋଚ୍ଛାପଢାକୁ ନୂତନ ବ୍ଳକ ଘୋଷଣା ଓ ଘୁ.ଉଦୟଗିରୀକୁ ନୂତନ ଉପଖଣ୍ଡ ଘୋଷଣା କରାଯାଉ । ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରାଯାଉ । ନୂତନ ପଞ୍ଚାୟତ ଓ ୱାର୍ଡ ଗଠନ କରାଯାଉ । DLCC ଓ BLCC କୁ ନିୟମିତ କରାଯାଉ ।କ୍ଷେତ୍ରସ୍ତରରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି କରାଯାଉ ।କନ୍ଧମାଳ ଜିଲା ପାଇଁ ଭିଜନ ଡକୁମେଣ୍ଟ- ୨୦୩୦ ପ୍ରସ୍ତୁତ କରାଯାଉ । OLM ଓ ମିଶନ ଶକ୍ତି ଦ୍ବାରା କ୍ଷୁଦ୍ର ରୁଣ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ । କନ୍ଧମାଳକୁ ସ୍ବତନ୍ତ୍ର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ । ଦାରିଙ୍ଗବାଡି ଓ କୋଟଗଡକୁ ଆସପିରେସନାଲ ବ୍ଲକ ଭାବେ ଘୋଷଣା କରାଯାଇ ସରକାରଙ୍କ ସମସ୍ତ ଯୋଜନା ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରାଯାଉ । ସରକାର, ଗ୍ରାମବାସୀ ଓ ସାମାଜିକ ସଂଗଠନମାନେ ସମନ୍ୱୟ କରି ପାରଦର୍ଶିତା ସହିତ ଯୋଜନା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉ । ଏଭଳି ବିଭିନ୍ନ ଦାବୀକୁ ନେଇ ଆଜି ପ୍ରେସ ବିଜ୍ଞପ୍ତି ପ୍ରଦାନ କରାଯାଇଛି l ସରକାର ଏସମସ୍ତ ବିଷୟ ପ୍ରତି ଧ୍ୟାନ ଦେଇ ଅଞ୍ଚଳର ବିକାଶକୁ ଆଗେଇ ନେବା ପାଇଁ ସ୍ବେଚ୍ଛାସେବୀ ମହାସଙ୍ଘ ପକ୍ଷରୁ ଗଣମାଧ୍ୟମ ଜରୀଆରେ ଦାବୀ ଉପସ୍ଥାପନ କରାଯାଇଅଛି l