ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସ୍ଥାନୀୟ ଶତାୟୁ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ମାନ୍ୟବର ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ମୁଖ୍ୟ ଅତିଥି, ଗୁଣପୁର ପୌରଧ୍ୟକ୍ଷା ମମତା ଗୌଡ଼, ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀନାଥ ପଟ୍ଟନାୟକ, କୃଷି ବୈଜ୍ଞାନିକ ରାଜୀବ ଟୁଡୁ, କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା, ଚିତ୍ତ ରଞ୍ଜନ ଶତପଥି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦର୍ଶନୀରେ ୨୪ଟି ଷ୍ଟଲ ଖୋଲା ଯାଇ କୃଷି ବିଭାଗର ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରିବା ସହ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ପ୍ରଥମ ଦିନରେ ଗୁଡ଼ାରି, ପଦ୍ମପୁର, ରାମନଗୁଡା ଅଞ୍ଚଳର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା ଚାଷୀଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ବସନ୍ତ ମିଶାଲ, ସୁଦାମ ମାଝୀ, ଚୂଡ଼ାମଣି ଅଣ୍ଡରୁ, ଗୀତାଞ୍ଜଳି ସାହୁ, ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ସହ ବିଭିନ୍ନ ଚାଷ କରି ଚାଷୀ ସ୍ୱାବଲମ୍ବୀ ହୋଇ ପାରିଲେ ଏହି କାର୍ଯ୍ୟକ୍ରମର ତାପର୍ଯ୍ୟ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରଥମ ଦିବସରେ ପାଞ୍ଚଟି ଟ୍ରାକ୍ଟର, ବହୁ କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିଲା । ପରିଶେଷରେ ମୁନିଗୁଡା କୃଷି ଜିଲ୍ଲା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।