ଦାରିଙ୍ଗବାଡ଼ି(ଆଶୋକ ସିଂ): ସାରା ଦେଶରେ ପାଳିତ ହେଉଛି ଜନଜାତି ଗୌରବ ଦିବସ । ଆଦିବାସୀଙ୍କ ଭଗବାନ ତଥା ମହାନ ଜାତୀୟତାବାଦୀ ସଂଗ୍ରାମୀ ବିର୍ସାମୁଣ୍ଡଙ୍କ ଆଜି ୧୫୦ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଦିବାସୀ ନେତା ସ୍ଵାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସମ୍ମାନିତ ଅତିଥି ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସୋନାଲିକା ପୃଷ୍ଟି , ଏସ୍ଏମସି କମିଟି ସଭାପତି ଆଶାଲତା ପ୍ରଧାନ, ସାମ୍ବାଦିକ ବରୁଣ ସିଂ ଏବଂ ପ୍ରେମଚାନ୍ଦ ସିଂ ମଞ୍ଚରେ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିମାନେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଭାରତକୁ ସ୍ବାଧୀନତା ଆଣିବାରେ ଆଦିବାସୀ ସମ୍ପ୍ରଦାୟର ନେତା ବିର୍ସା ମୁଣ୍ଡାଙ୍କ ଅବଦାନ ଅତୁଳନୀୟ ଏହି ଦିବସକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଇଛି । ଏଥିସହ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କୁ ନେଇ ଆମେ ଜାଣିବା ଓ ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରୀଛାତ୍ରଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ସେମାନଙ୍କୁ ବାଲ୍ୟ ବିବାହଠାରୁ ଦୂରରେ ରଖିବା ସହ ଶିଶୁଶ୍ରମିକ ଠାରୁ ମଧ୍ୟ ଦୂରରେ ରଖାଯିବାକୁ ଅତିଥିମାନେ ଜଣାଇଥିଲେ । ଭଲ ପାଠ ପଢ଼ିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯିବା ସହ ସରକାର ଦେଉଥିବା ସମସ୍ତ ସୁବିଧାକୁ ଛାତ୍ରୀଛାତ୍ର କିଭଳି ଫାଇଦା ନେଇପାରିବେ ସେ ନେଇ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରୀଛାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ ଆଦି ପରିବେଷଣ କରିଥିଲେ ।