ମରଣ ଯନ୍ତା ପାଲଟିଛି ବୁଡ଼ାଗୁଡ଼ା-ଗୁମିକିଆ ରାସ୍ତା, ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ହେଉଛି କଷ୍ଟସାଧ୍ୟ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତା ମରଣ ଯନ୍ତା ପାଲଟିଛି । ପ୍ରକାଶ ଯେ ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବା ବେଳେ ଯାତାୟାତରେ ଘୋର ସମସ୍ୟା ଦେଖାଯାଉଛି । ବିଶେଷକରି ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କ୍ଷେତ୍ରରେ ବହୁତ ସମସ୍ୟା ଘଟୁଥିବା ଅଭିଯୋଗ ହେଉଛି । ଦୀର୍ଘଦିନ ହେଲା ଉକ୍ତ ରାସ୍ତା ମରାମତି କରାଯାଉନାହିଁ l ଏକ ଦଶନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିବା ବେଳେ ତାକୁ ଆଉ ତଦାରଖ କରାଯାଉନାହିଁ । ବୁଡ଼ାଗୁଡ଼ା ପଞ୍ଚାୟତ ସମେତ ଗୁମିକିଆ ପଞ୍ଚାୟତ ଓ ପଡ଼ୋଶୀ କୋଟଗଡ଼ ବ୍ଲକର କିଛି ଅଞ୍ଚଳର ହଜାର ହଜାର ଜନସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ସେହିପରି ବିଦ୍ୟାଳୟକୁ ଓ କଲେଜ ଛାତ୍ରୀଛାତ୍ର ଉକ୍ତ ରାସ୍ତାରେ ଯାତାୟାତ କରିବାରେ ସମସ୍ୟା ହେବା ସହ ବାରମ୍ବାର ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟୁଛି ବୋଲି ଗୁମିକିଆ ସରପଞ୍ଚ ତ୍ରିନାଥ ପ୍ରଧାନ କହିଛନ୍ତି । ଅଞ୍ଚଳବାସୀ ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଗୁହାରି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି ଉକ୍ତ ରାସ୍ତା ମରାମତି ପାଇଁ ଟେଣ୍ଡର ସରିଛି । ଖୁବ ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।