ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ, “ବେଷ୍ଟ ପରଫରମିଙ୍ଗ” ଜିଲ୍ଲା ଭାବେ ରାଜ୍ୟର ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଜିଲ୍ଲା…
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ମାଣ୍ଡିଆ ଦିବସ ଅବସରରେ ଆଜି ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବେଷ୍ଟ ପରଫର୍ମିଙ୍ଗ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲା ଦ୍ୱିତୀୟ ପୁରସ୍କାର ଲାଭ କରିଛି । ଲୋକସେବା ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ମାଣ୍ଡିଆର ଉତ୍ପାଦନ, ମିଲେଟ ଯୁକ୍ତ ଖାଦ୍ୟ ସାମଗ୍ରୀ ର ବହୁଳ ଉତ୍ପାଦନ, ଏହାର ବିକ୍ରୟ, ଚାଷୀଙ୍କ ଆର୍ଥିକ ଉନ୍ନତି, ଅଙ୍ଗନୱାଡ଼ି ଓ ଏସ ଏସ ଡି ବିଦ୍ୟାଳୟ ମାନଙ୍କରେ ଏହାର ବଣ୍ଟନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଅଛି । ସେହିଭଳି ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ ହୋଇ ଯାଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ । କାର୍ଯ୍ୟକ୍ରମରେ ସଦର ଜିଲ୍ଲା କୃଷି ଅଧିକାରୀ ଶ୍ରୀମତୀ ଦୀପ୍ତି ପଟେଲ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନର କାର୍ଯ୍ୟକାରିତା ଉପରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମନୁଷ୍ୟ ଜୀବନରେ ମିଲେଟର ଗୁରୁତ୍ଵ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଏହାର ଗ୍ରହଣ ଦ୍ଵାରା ମନୁଷ୍ୟକୁ ବିଭିନ୍ନ ପ୍ରକାର ଭିଟାମିନ ମଧ୍ୟ ମିଳିଥାଏ ଯାହା କି ତାଙ୍କୁ ନିରୋଗ ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ l ତେଣୁ ନିୟମିତ ମିଲେଟ୍ ଉତ୍ପାଦିତ ଖାଦ୍ୟ ଗ୍ରହଣ କରିବାକୁ ଉପରେ ଗୁରୁତ୍ଵାରୋପ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ପ୍ରତିଦିନ ମିଲେଟ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ଜଣଙ୍କ ଥାଳିରେ ଏହି ସୁପର ଫୁଡ୍ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ । ଏହା ଏକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ତଥା ଶରୀର ଉପଯୋଗୀ । ଏହା ଅଳ୍ପ ଖର୍ଚ୍ଚ ତଥା ଅଳ୍ପ ପାଣିରେ ମଧ୍ୟ ହେଉଥିବାରୁ ଏବଂ ବର୍ତ୍ତମାନ ସମୟରେ ଏହା ସମାଜର ସବୁ ବର୍ଗ ଦ୍ଵାରା ବହୁଳ ଭାବେ ଆଦୃତ ହୋଇଥିବାରୁ ଚାଷୀ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତ ପୋଷଣ କରିଥିଲେ ।
କାର୍ଯ୍ୟକ୍ରମ ବିଭିନ୍ନ ସଂସ୍ଥା, ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ଷ୍ଟଲ କରାଯାଇ ମିଲେଟ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ର ବିକ୍ରି ମଧ୍ୟ ହୋଇଥିଲା । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସନ୍ନ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର, କିରେଇ ର ବରିଷ୍ଠ ବୈଜ୍ଞାନିକ, ଆର୍ ଆର୍ ଟି ଟି ଏସ, କିରେ଼ଇ ର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଂଜୀବ କୁମାର ବିଶ୍ବାସୀ, ଏଲ ଡି ଏମ ଶ୍ରୀ ଗଗନ ବିହାରୀ ଧଳ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଲେଫ୍ରୀପଡାର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ମିଲେଟ ଚାଷୀ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।