ବ୍ରାହ୍ମଣୀଗାଁ ବିଏସଏନ୍ଏଲ ନେଟୱର୍କର ଲୁଚକାଳି ଖେଳ, ବର୍ଷେ ବିତିଗଲାଣି ସଂଯୋଗ ହୋଇ ପାରୁ ନାହିଁ ୪-ଜି କେବୁଲ୍…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଇଣ୍ଟର ନେଟ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି l ବ୍ରାହ୍ମଣୀଗାଁରେ ଏକ ମାତ୍ର ବିଏସନେଲ  ସଂସ୍ଥା ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ସେଥିରୁ ଏକ ଶାଖା ସଂସ୍ଥା ବିବିଏନ୍ଏଲ   ଫାଇବର ନେଟ ସେବା ଯୋଗାଇ ଆସୁଅଛି l ହେଲେ ଦୀର୍ଘ ବର୍ଷ ବିତିଗଲାଣି ବ୍ରାହ୍ମଣୀଗାଁ ନେଟୱର୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ । ଥରେ ଲାଇନ କଟିଲେ କେବେ ଆସିବ ତାହାର କୌଣସି ନିର୍ଦ୍ଧିଷ୍ଟତା ନାହିଁ । ଦୀର୍ଘ ଏକ ବର୍ଷ ପରେ ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ୪- ଜି ସେବା ଯୋଗାଇ ଦେବା ପାଇଁ ପାଇପ ବିଛା ହୋଇଛି ସତ କେବୁଲ୍ ସଂଯୋଗ ହୋଇ ପାରି ନାହିଁ । ଯାହାରି ଫଳରେ ଅଞ୍ଚଳ ବାସୀ ଆଜ ପର୍ଯ୍ୟନ୍ତ ୪- ଜି ସେବା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ  ଜିଲ୍ଲା ତଥା ବ୍ଲକ ପ୍ରଶାସନ ଭଲ ଭାବେ ଜାଣିଥିଲେ ସୁଦ୍ଧା କୌଣସି ସ୍ଥାୟୀ ପ୍ରତିକାର ହୋଇ ପାରି ନାହିଁ । ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟ ଅନ୍ ଲାଇନ୍ ରେ ହେଉ ଥିବା ବେଳେ ଫରମ୍ ଆବେଦନ କରିବା ଠାରୁ ଆରମ୍ଭ କରି ପ୍ରାପ୍ତ ପର୍ଯ୍ୟନ୍ତ ଇଣ୍ଟର ନେଟ୍ ର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି, ଏଠାରେ ସ୍କୁଲ, କଲେଜ, ବ୍ୟାଙ୍କ, ଥାନା, ମେଡିକାଲ, ରାଜସ୍ୱ, ମୋ ସେବା କେନ୍ଦ୍ର, ଗ୍ରାହକ ସେବା କେନ୍ଦ୍ର ଜନସେବା କେନ୍ଦ୍ର ଆଦିର ସୁବିଧା  ଉପଲବ୍ଧ ଥିବାବେଳେ ବଜାର ସୌଦା ଏବଂ ଗମନା ଗମନ ର ସୁବିଧା ଦୃଷ୍ଟିରୁ ବ୍ରାହ୍ମଣୀଗାଁ ଉପରେ ନିର୍ଭର କରିଥାନ୍ତି ଅଞ୍ଚଳର ଜନସାଧାରଣ । କେବଳ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ନୁହେଁ ଏହାର ସୀମାନ୍ତ ବର୍ତ୍ତି ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ୧୫ଗୋଟି ପଞ୍ଚାୟତ ଅଞ୍ଚଳର ଲୋକେ  ବ୍ରାହ୍ମଣୀଗାଁ ଉପରେ ନିର୍ଭର କରିଥାନ୍ତି ।  ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁଡ଼ିକ ଅନଲାଇନ୍ ଜରିଆରେ କରାଯାଉ ଥିବାରୁ ଅଞ୍ଚଳ ବାସୀଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି l ବିଏସଏନ୍ଏଲର ୪-ଜୀ ସେବା ସଂଯୋଗ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଉଥିବା ବେଳେ ଆଜକୁ ପ୍ରାୟ ଏକ ବର୍ଷ ବିତିଗଲାଣି ୪ – ଜି କେବୁଲ ସଂଯୋଗ ହୋଇ ପାରୁ ନାହିଁ l ଅପର ପକ୍ଷରେ ଗଜପତି ଜିଲ୍ଲା ପାଣିଗଣ୍ଡାରୁ ବ୍ରାହ୍ମଣୀଗାଁକୁ ଏକ କେବୁଲ୍ ଲାଇନ କାମଚଳା ଭାବେ ସଂଯୋଗ ହୋଇଛି l ତାହା ଦିନେ ଆସିଲେ ଦୁଇ ଦିନ ବିଛିନ୍ନ ରହୁଛି l ଏକ ବର୍ଷ ବିତିଗଲାଣି ବିଏସଏନ୍ଏଲ ଗ୍ରାହକମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି l ଗ୍ରାହକଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି l କେବେ ଯେ ଏହା ଆନ୍ଦୋଳନର ରୁପ ନେବ କହି ହେବ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ବ୍ରାହ୍ମଣୀଗାଁ ବି ଏସ ଏନ୍ ଏଲ୍ ଟାୱାରକୁ ଉଚ୍ଚ କ୍ଷମତା ସମ୍ପନ୍ନ ଅର୍ଥାତ୍ ୪- ଜୀ ସେବା ପ୍ରଦାନ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କେବୁଲ ସଂଯୋଗ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।