ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଥଇଥାନ ଅପେକ୍ଷାରେ ମାଣ୍ଡିପଙ୍କାର ୩୫ଜଣ ଭୂମିହୀନ ପରିବାର….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୋମବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ଆମ୍ୱ ଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେଇଥିଲେ l ଏହି ସମୟରେ ପୀଡ଼ିତ ପରିବାର ଲୋକଙ୍କ ସମସ୍ୟା ବୁଝିବା ସହିତ ଗ୍ରାମ ତଥା ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ କିଭଳି ଚାଲିଛି ଏବଂ ଲୋକଙ୍କ କଣ ଆବଶ୍ୟକତା ରହିଛି ତାହା ପଚାରି ବୁଝିଥିଲେ l ଉପସ୍ଥିତ ଗ୍ରାମବାସୀମାନେ ସେମାନଙ୍କର ପାନୀୟଜଳ, ମନରେଗା ଯୋଜନାରେ କାର୍ଯ୍ୟ, ନେଟୱର୍କ ଆଇଟିଡିଏ ପକ୍ଷରୁ ଜୀବନ ଜୀବିକା, ଋଣ ପ୍ରଦାନ ଆଦି ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇ ଥିଲେ l ଇତି ମଧ୍ୟରେ ପୂର୍ବତନ ବାଣିଜ୍ୟ କର ବିଭାଗ କମିଶନର ତଥା କଂଗ୍ରେସ ଦଳର କନ୍ଧମାଳ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ମାଣ୍ଡିପଙ୍କା ଗ୍ରାମ ର ୩୫ଜଣ ଭୂମିହୀନ ପରିବାର ପ୍ରତି ଜିଲ୍ଲା ପ୍ରଶାସନ ଅବହେଳା କରି ଆସୁଥିବା ନେଇ ନୂତନ ଭାବେ ଯୋଗ ଦେଇ ଥିବା ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କୁ ଅବଗତ କରାଇ ଥିଲେ । ସୂଚନାଯୋଗ୍ୟ କି ଏହି ୩୫ ଟି ଭୂମିହୀନ ପରିବାର ଗତ ୨୦୧୮-୧୯ ମସିହାରେ ମେରାମହା ଛକ ରାସ୍ତା କଡ ଜଙ୍ଗଲ ସଫା କରି ସେଠାରେ ବସତି ସ୍ଥାପନ କରିବାକୁ ଯାଇଥିଲେ l ଜଙ୍ଗଲ ସଫା କରି ଝାଟି ମାଟିର ଘର ମଧ୍ୟ ତିଆରି କରି ରହିବା ଆରମ୍ଭ କରିଥିଲେ । ବନବିଭାଗ ପକ୍ଷରୁ ସଂରକ୍ଷିତ ଜଙ୍ଗଲ ଦର୍ଶାଇ ଗଛ କାଟି ସେଠାରେ ବସତି ସ୍ଥାପନ କରିବାକୁ ବାରଣ କରିଥିଲେ ଏପରିକି ତାଙ୍କ ବିରୋଧରେ ବନବିଭାଗ ପକ୍ଷରୁ କେଶ ରୁଜୁ କରାଯାଇ ଥିଲା । ଏହା ଜିଲ୍ଲା ପ୍ରଶାସନ ଜାଣିବା ପରେ ଘଟଣାର ତଦନ୍ତ କରି ପ୍ରକୃତ ଭୂମିହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ l କିନ୍ତୁ ଆଜି ଯାଏଁ ତାହା କାର୍ଯ୍ୟକାରି ହୋଇ ପାରିନାହିଁ l ଯାହାରି ଫଳରେ ଆଜି ମଧ୍ୟ ପଥର ବଣ ଜଙ୍ଗଲ ଉପରେ ରହୁଛନ୍ତି ଲୋକେ । ଏସମ୍ପର୍କରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ବିଷୟବସ୍ତୁ ବୁଝିବା ପରେ ସେହି ଭୂମିହୀନ ମାନଙ୍କର ଥଇଥାନ କଥା ବୁଝିବେ ବୋଲି ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଥଇଥାନ ଅପେକ୍ଷାରେ ଅଛନ୍ତି ଗ୍ରାମବାସୀ ।