ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ୪ଦିନ ପରେ ମାଣ୍ଡିପଙ୍କାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, ନିଜ ଗ୍ରାମରେ ମିଳିବ ପିଡିଏସ ଚାଉଳ: ଜିଲ୍ଲାପାଳ

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ସୋମବାର ଦିନ ଜିଲ୍ଲା ପାଳ ଅମ୍ରିତ ଋତୁରାଜ ମାଣ୍ଡିପଙ୍କାରେ ପହଞ୍ଚି ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ବରଣ କରିଥିବା ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେବା ସହ ପୀଡ଼ିତ ପରିବାରକୁ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇ ଥିବା ସହାୟତା ପାଇଛନ୍ତି କି ନାହିଁ ପଚାରି ବୁଝିବା ସହ ଗ୍ରାମବାସୀମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ l ଗ୍ରାମବାସୀଙ୍କ ଦାବି ମୁତାବକ ପିଡିଏସ ଚାଉଳ ମାଣ୍ଡିପଙ୍କାରେ ଦେବା ବ୍ୟବସ୍ଥା କରିବା ସହ, ଦଡ଼ା ସାହିକୁ ସୋଲାର ବୋର୍ ୱେଲ୍ ଜରୀଆରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ଏଵଂ ସ୍କୁଲ ଓ ଅଙ୍ଗନୱାଡ଼ିର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି ଜିଲ୍ଲା ପାଳ ପ୍ରତିଶୃତି ଦେଇଛନ୍ତି ଏବଂ ପୁର୍ବ ନିର୍ଦ୍ଧାରିତ ପ୍ରତିଶୃତି କ୍ରମେ ୩୫ ଭୂମିହୀନ ପରିବାରକୁ ଥଇଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଇ ଥିବା ପ୍ରତିଶୃତି ଆଜି ଯାଏଁ କାର୍ଯ୍ୟକାରି କରାଯାଉ ନଥିବା ନେଇ ଆଲୋଚନା କରାଯାଇ ଥିଲା l ଏହି ବିଷୟ ଶୁଣି ଜାଣିବା ପରେ ଏଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପାଳ ଶ୍ରୀ ଋତୁରାଜ ପ୍ରତିଶୃତି ଦେବା ସହ ପୁନର୍ବାର ଆମ୍ବ ଟାକୁଆ ପରି ବିଷାକ୍ତ ଖାଦ୍ୟ ନ ଖାଇବାକୁ ସେ ଅପିଲ କରିବା ସହ ପ୍ରତ୍ୟେକ ଏହି ଗ୍ରାମ ତଥା ଅଞ୍ଚଳର ସମସ୍ତ ଗ୍ରାମରେ ସଚେତନା ସୃଷ୍ଠି କରିବାକୁ ଅଙ୍ଗନୱାଡ଼ି, ଆଶା କର୍ମୀ, ସ୍ଵାସ୍ଥ୍ୟ କର୍ମୀମାନଙ୍କୁ ନିର୍ଦ୍ଧେଶ ଦିଆ ଯାଇଥିବା ନେଇ ଜିଲ୍ଲାପାଳ କହିଛନ୍ତି l ବ୍ରାହ୍ମଣୀଗାଁ ମେଡ଼ିକାଲରେ ଅଧିକ କର୍ମଚାରୀ ନିଯୁକ୍ତି କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏହା ସହ ସେ କେତେକ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ଗୁଡ଼ିକ ଉପରେ ମଧ ଆଲୋଚନା କରିଥଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଏଇଇ ଶିଶିର କୁମାର ପାତ୍ର, ପିଏ ଆଇ ଟି ଡି ଏ କୃପାସିନ୍ଧୁ ବେହେରା, ଏପିଓ କେଦାର ପଣ୍ଡା, ବିପିଏମ୍ ପିଣ୍ଟୁ ନାୟକ, ଡ଼ବ୍ଲ୍ୟୁଓ ବିଶ୍ୱଜିତ ଜାଲି ଏସଡିଓ ଶରତ ଚନ୍ଦ୍ର ସାହୁ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ ଷ୍ଟାଫ୍ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ ପ୍ରତିଶୃତି ପାଇବା ପରେ ଗ୍ରାମବାସୀମାନେ ଆଶ୍ୱସ୍ତି ଅନୁଭବ କରୁଥିବା ବେଳେ ତାହା କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।