ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ତହସିଲ ତରଫରୁ ହଳଦା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ – ଲିପିଘୁଟୁ ଗ୍ରାମରେ ସରକାରୀ ଜମିରେ ପିଢ଼ି ପରେ ପିଢ଼ି ଘରଦ୍ଵାର କରି ବସବାସ କରୁଥିବା ଆଦିବାସୀମାନଙ୍କୁ ସରକାରୀ ଜମିରୁ ମାସକ ମଧ୍ୟରେ ଉଛେଦ ପାଇଁ ନୋଟିସ ପଠାଯାଇଛି । ଚିଠି ପାଇ ବସ୍ତି ବାସିନ୍ଦା ଭୟଭୀତ ହେବା ସହ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏହାକୁ ନେଇ ଆଜି ରାଇରଙ୍ଗପୁର କଲେଜ ଖେଳ ପଡ଼ିଆରୁ ନୂଆଗାଁ ଗ୍ରାମବାସୀ ଏବଂ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ କମିଟି ତରଫରୁ ଏକ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ରାଇରଙ୍ଗପୁର ତହସିଲ ସମ୍ମୁଖରେ ବିକ୍ଷୋଭ କରିଥିଲେ ।।ଏଠାରେ ତ ସରକାର ଆମ ପାଇଁ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁଳି, ରାସ୍ତା ସବୁ କରି ଦେଇଛି । ପୁଣି ସରକାର ଆମ୍ଭମାନଙ୍କୁ କାହିଁକି ହଠାଇବା ପାଇଁ ଲିଖିତ ଚିଠି ଦେଇଛନ୍ତି । ଏବେ ଆମ୍ଭେ ଗୋରୁ ଗାଈ, ଛେଳି, କୁକୁଡ଼ା, ମାଙ୍କଡ଼ା, ବୁଢ଼ା, ବୁଡି, ଛୁଆପିଲା ନେଇ କେଉଁଠାକୁ ଯିବୁ । ଆମ୍ଭେ ଏହି ସ୍ଥାନ ଛାଡି ଯିବୁ ନାହିଁ । ଆମ୍ଭକୁ ଥଇଥାନ କରାଯାଉ ପରେ ଉଛେଦ କରାଯାଉ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ପରେ ଡେପୁଟି କଲେକ୍ଟର ମନୋଜ ମହାନ୍ତଙ୍କୁ ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ଏହା ବିଚାରକୁ ନେଇ ନ୍ୟାୟ ଦେବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିଥିବାବେଳେ ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କୁ ମଧ୍ୟ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ବିସ୍ଥାପନ ନୀତିକୁ ବିଚାରକୁ ନେଇ ନ୍ୟାୟ ଦେବା ପାଇଁ ଅନୁରୋଧ କରିଥିଲେ । ସରକାର ଯଦି ନ୍ୟାୟ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତରେ ପ୍ରକାଶ କରାଯିବ ବୋଲି କହିଥିଲେ । ଏହି ବିକ୍ଷୋଭରେ ହଳଦା ସରପଞ୍ଚ ଇଂପ୍ରଭାସ ରଂଜନ ହାଁସଦା, ଜିଲ୍ଲା ପେସା ସଭାପତି ପାଣ୍ଡୁ ରାମ ହେମ୍ବ୍ରମ, ସଂପାଦକ ନୁନାରାମ ମୁର୍ମୁ, ଯୁବ ସଭାପତି ଦୁଲାରାମ ମୁର୍ମୁଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।