ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ ଓ ଅସୁସ୍ଥ ଘଟଣା, ପ୍ରଶାସନ ପକ୍ଷରୁ ମୃତକ ପରିବାରକୁ ୩୦ ହଜାର ଓ ଚିକିତ୍ସା ପାଇଁ ୧୦ ହଜାର ଆର୍ଥିକ ସହାୟତା ପ୍ରଦାନ…

ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଡଡା ସାହିରେ ଆମ୍ବ କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ୨ ମୃତ ଓ ୬ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଘଟଣାରେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଥିବା ଜଣା ପଡ଼ିଛି ।ମୃତକ ପରିବାରକୁ ୩୦ହଜାର ଓ ଚିକିତ୍ସାଧୀନ ଅବସ୍ଥାରେ ଥିବା ପରିବାର ଲୋକଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସ୍ଥାନୀୟ ତହସିଲଦାର ଶରତ ଶବର ଓ ବ୍ରାହ୍ମଣୀଗାଁ ଆର୍ ଆଇ ରଞ୍ଜିତ କୁମାର କହଁରଙ୍କ ସହ ତହସିଲ କାର୍ଯ୍ୟଳୟ କର୍ମଚାରିମାନେ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମଵାସୀଙ୍କ ଉପସ୍ଥିତିରେ ପୀଡ଼ିତ ପରିବାର ଲୋକଙ୍କୁ ଉକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଶାସନ ପକ୍ଷରୁ ପ୍ରାପ୍ତ ଅନୁଦାନ ପାଇଁ ଗ୍ରାମବାସୀ ତଥା ପୀଡ଼ିତ ପରିବାର ଲୋକେ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ l ଚିକିତ୍ସା ସରିବା ପର୍ଯ୍ୟନ୍ତ ଆଉ କିଛି ସହାୟତା ପ୍ରଦାନ କରିବାକୁ ଗୁହାରୀ କରିଥିଲେ ଅଞ୍ଚଳ ବାସୀ । ବର୍ତ୍ତମାନ ସରକାରଙ୍କ ତରଫରୁ ଯାହା ଅନୁଦାନ ଆସିଛି ତାହା ପ୍ରଦାନ କରାଯାଇଅଛି l ସରକାର ଯାହା ନିର୍ଦ୍ଧେଶ ଦେବେ ସେହି ଅନୁଯାୟୀ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ଶବର କହିଛନ୍ତି ।