ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ପ୍ରାୟ ୮୦ ଜଣ ଯୋଜନା ଭିତ୍ତିକ ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶନିବାର ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆଡମ୍ବର ପୂର୍ଣ୍ଣ ବର୍ଣ୍ଣାଢ଼୍ୟ ଉତ୍ସବରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଫୁଲ ଚନ୍ଦନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉତ୍ସବରେ ଭଞ୍ଜନଗର ବ୍ଲକର ସମସ୍ତ ବର୍ଗର ପ୍ରାୟ ୨୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ନେତା ସରୋଜକାନ୍ତ ଶତପଥୀ ସଭାପତିତ୍ବ କରିଥିଲେ । ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ, ଜଗଦିଶ ନାୟକ, ମନୋଜ କୁମାର ବେହେରା, ଗଜେନ୍ଦ୍ର କୁମାର ସେଠୀ, ଚରଣ ବେହେରା, ଆଶା ଲତା ବେହେରା ଓ ପାଣ୍ଡବ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଶିର କାନ୍ତ ପତି, ସୁଧିର କୁମାର ବେହେରା, ଗୋକୁଳାନନ୍ଦ ମଲିକ, ସୁଜିତ କୁମାର ସ୍ଵାଇଁ, ଅବିନାଶ ପଣ୍ଡା, ଭକ୍ତ ବନ୍ଧୁ ବିଷୋୟୀ ଓ ବୈରାଗୀ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷକମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଗୁଡିକୁ ବ୍ଳକ୍ ସ୍ତରରେ, ଜିଲ୍ଲା ସ୍ତରରେ ଏବଂ ରାଜ୍ୟ ସ୍ତରରେ ସମାଧାନ କରିବା ସହିତ ଶିକ୍ଷକମାନଙ୍କର ରହିଥିବା ବିଭିନ୍ନ ଆବଶ୍ୟକତା ଓ ସୁବିଧା ସୁଯୋଗ ଗୁଡିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥି ସହିତ ଶିକ୍ଷକ ଏକତା ବଜାୟ ରଖିବା ଓ ଏହାକୁ ଦୃଢ଼ୀଭୂତ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ସମସ୍ତ ଶିକ୍ଷକ ନେତା ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।