ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଓଡ଼ିଶାର ୧୯୯୯ ମହାବାତ୍ୟାକୁ ଆଜି ୨୫ ବର୍ଷ ପୂର୍ତ୍ତ ହୋଇଛି । ଏହି ଦିବସକୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଇଥାଏ ।

csp

ଏହି ଅବସରରେ ଆଜି ସକାଳେ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ମଧ୍ୟରେ ପରିକ୍ରମା କରିଥିଲା । ପରେ ପରେ  କିରେଇ ସ୍ଥିତ ଅନ୍ୱେଷା ହଷ୍ଟେଲ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଡେପୁଟି କଲେକ୍ଟର ( ଆପାତକାଳୀନ) ସ୍ମୃତି ସୌମ୍ୟା ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଡେପୁଟି କଲେକ୍ଟର ତୃପ୍ତି ଦାସ , ସଲମା ମାଝୀ, ଅଗ୍ନିଶମ ଅଧିକାରୀ ଶ୍ରୀ ଅଜୟ ବରଦା ଉପସ୍ଥିତ ରହି କୌଣସି ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନା କିଭଳି କରିବା, ବିପର୍ଯ୍ୟୟ ସମୟରେ କିଭଳି ଭାବେ ଧର୍ଯ୍ୟଚ୍ୟୁତ ନ ହୋଇ ଜଟିଳ ପରିସ୍ଥିତିର କିଭଳି ଭାବେ ସାମ୍ନା କରିବା ଆଦି ଉପରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିଭଳି ବିପର୍ଯ୍ୟୟ ପରିସ୍ଥିତି ସଂପର୍କ ରେ ଆଗୁଆ ସୂଚନାର ଆଦାନ ପ୍ରଦାନ, ପ୍ରାକ୍ ପ୍ରସ୍ତୁତି ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ସେହିଭଳି ବିପର୍ଯ୍ୟୟ ନେଇ ସମସ୍ତେ କିଭଳି ଭାବେ ସଚେତନ ହୋଇ ସତର୍କତା ଅବଲମ୍ବନ କରିବେ ତାହା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଏହି ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

 

ପରେ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ଉପରେ ବିଭିନ୍ନ ଉପକରଣ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ବିପର୍ଯ୍ୟୟ ସମୟରେ ଗଛ ଡାଳ ଆଦି ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲେ ତାହାକୁ ମେସିନ ଦ୍ଵାରା କିଭଳି ସଫା କରିବା, ପାଣିରେ ବୁଡି ଯାଇଥିଲେ କିଭଳି ଉଦ୍ଧାର କରିବା, କୌଣସି ସ୍ଥାନରେ ନିଆଁ ଲାଗି ଯାଇଥିଲେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଏ ଆଦି ସମ୍ପର୍କରେ ପ୍ରଦର୍ଶନ କରାଯାଇଥିଲା । ସେହିଭଳି ଏହି ସବୁ କାର୍ଯ୍ୟରେ ଲାଗୁଥିବା ବିଭିନ୍ନ ଉପକରଣ ଆଦିକୁ ମଧ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଥିଲା ଏବଂ ସେଗୁଡିକର ବ୍ୟବହାର ସମ୍ପର୍କରେ ସେମାନଙ୍କୁ ବୁଝା ଯାଇଥିଲା । କାର୍ଯ୍ୟକ୍ରମକୁ ବିଶ୍ଵ ରଞ୍ଜନ ସାହୁ ସଂଯୋଜନା କରିଥିଲେ ଏବଂ ସୁଜାତା ତିର୍କି ଧନ୍ୟବାଦ୍ ଅର୍ପଣ କରିଥିଲେ ।