ଅନୁସନ୍ଧାନ ଭାରତ(ବ୍ୟୁର): ବାତ୍ୟା “ଦାନା” ସ୍ଥଳ ଭାଗ ଛୁଇଁବା ପରେ ତାହାକୁ ସଫଳ ମୁକାବିଲା ପାଇଁ ବାତ୍ୟା ଆସନ୍ନ ଜିଲ୍ଲା ଗୁଡିକରେ ମୁତୟନ ହୋଇଥିବା କର୍ମଚାରୀମାନେ ବାତ୍ୟା “ଦାନା”ର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ଯାଇଥିବା ବା ଉପୁଡିପଡ଼ିଥିବା ଗଛ ଗୁଡିକୁ କାଟି ସଫାକରି ରାସ୍ତା ଗମନାଗମନ ଯୋଗ୍ୟ ଓ ଘର ଗୁଡିକୁ ବିପଦମୁକ୍ତ କରିଥିଲେ । ଉକ୍ତ କାର୍ଯ୍ୟରେ ଅପରାହ୍ଣ ୫ ଘଟିକା ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରେ ସମୁଦାୟ ୪୨୭ଟି ସ୍ଥାନରେ ୧୧୫୦ ରୁ ଉର୍ଦ୍ଧ୍ଵ ଗଛ କାଟି ରାସ୍ତା ସଫା କରାଯାଇ ଗମନାଗମନର ବ୍ୟବସ୍ଥା କରାଯାଇଥିଲା ଓ ୧୬୦ରୁ ଉର୍ଦ୍ଧ୍ଵ ଘରକୁ ବିପଦମୁକ୍ତ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରସ୍ଥିତ ଶ୍ରୀରାମପୁର ଗ୍ରାମରେ ଏକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡି/ ଉପୁଡିପଡି ରାସ୍ତା ଅବରୋଧ ହୋଇଥିଲା । ସେହି ବିଦ୍ୟୁତ୍ ଖୁଣ୍ଟକୁ ଅଗ୍ନିଶମ ବିଭାଗ ହାଇଡ୍ରୋଲିକ୍ କଟର ସାହାଯ୍ୟରେ କାଟି ରାସ୍ତାକୁ ସର୍ବ ସାଧାରଣ ଯାତାୟାତ ଉପଯୋଗୀ କରିଥିଲେ l ଫଳରେ ବିଦ୍ୟୁତ ସରବରାହ ସ୍ଵାଭାବିକ ହୋଇପାରିଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳ ସନ୍ନିକଟ ବେଙ୍ଗପାଟି, ରାଜନଗର ବ୍ଲକ ସ୍ଥିତ ସାତଭାୟା, ପୁରୀ ଜିଲ୍ଲା ସ୍ଥିତ ଅସ୍ତରଙ୍ଗ ଓ ଡେଲାଙ୍ଗ ଓ ଭଦ୍ରକ ଜିଲ୍ଲାରେ ତିହିଡି ବ୍ଲକରେ ଜଳମଗ୍ନ ହୋଇଯାଇଥିବା ସ୍ଥାନ ଗୁଡିକୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ବ୍ୟବହାର କରାଯାଇ ଜଳ ନିଷ୍କାସନ କରାଯାଇଥିଲା । ଏତଦ୍ ବ୍ୟତୀତ କଟକ, ପୁରୀ, ଭୁବନେଶ୍ଵର ର ତଳିଆ ଜଳ ପ୍ଳାବିତ ସମ୍ଭାବ୍ୟ ଅଞ୍ଚଳମାନଙ୍କରେ ଜଳ ନିଷ୍କାସନ ନିମିତ୍ତ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପମ୍ପ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ବାତ୍ୟା “ଦାନା”ର ସ୍ଥଳଭାଗ ଛୁଇଁବା ପରେ ବିଭିନ୍ନ ବିପଦ ସଙ୍କୁଳ ଜିଲ୍ଲା ଗୁଡିକରେ ପ୍ରଭାବ ଅନୁମାନ କରାଯାଉଥିବାରୁ ସେହି ସ୍ଥାନ ଗୁଡିକରେ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା, ଘର, ସରକାରୀ ଦପ୍ତର, ଡାକ୍ତରଖାନା ଓ ବିଦ୍ୟାଳୟ ପରିସର ମାନଙ୍କରେ ପଡିଥିବା ବୃହତକାୟ ଗଛ ଗୁଡିକୁ କାଟି ସଫା କରିଥିଲେ । ରାଜ୍ୟର ପ୍ରଭାବିତ ଅଞ୍ଚଳର ଜନସାଧାରଣମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ସେବା ନିମନ୍ତେ ତୁରନ୍ତ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବାଲାଗି, ପରାମର୍ଶ ଦିଆଯାଇଅଛି । ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟଠାରେ ବାତ୍ୟା ସଙ୍କ୍ରାନ୍ତୀୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।