ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ….

ଭଞ୍ଜନଗର(ନିଲୁ ବିଷୋୟୀ) : ଜଗତର କଲ୍ୟାଣ ଓ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆସନ୍ତା ମାସ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ୨୧କୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଛି । ଏଥିରେ ଦେଶର କୋଣ ଅନୁକୋଣରୁ ବହୁ ସାଧୁସନ୍ଥ ଯୋଗ ଦେବା ସହ ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଗୋ ଯଜ୍ଞ,ଜପ ଯଜ୍ଞ ଓ ନାମ ଯଜ୍ଞ ଅନୁଷ୍ଠିତ ହେବ । ଏହି ଅବସରରେ ବୁଧବାର ଭଞ୍ଜନଗର ନିୟନ୍ତ୍ରିତ ବଜାର  ପରିସରରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସକାଳ ୮ଟା ସମୟରେ ଭେଜିପୁଟ ଶିବ ମନ୍ଦିର ଠାରୁ ଆତସବାଜି, ନାମ ସଂକୀର୍ତ୍ତନ, ଘଣ୍ଟ, ବାଦ୍ୟକୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ଷ୍ଟେଟ ବ୍ୟାଙ୍କ ଛକ, ଖାଲା ସାହି ଦେଇ ରଘୁନାଥ ମନ୍ଦିରରୁ ଆଜ୍ଞାମାଳ ଆଣି ମେନ ରୋଡ଼, ବସ ଷ୍ଟାଣ୍ଡ, ମହାବୀର ଛକ ଦେଇ ଆରଏମସି ପଡ଼ିଆରେ ପହଞ୍ଚି ଥିଲା । ଏଥିରେ କର୍ତ୍ତା ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ତାଙ୍କର ସହଧର୍ମିଣୀ ଏବଂ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଉପସ୍ଥିତିରେ ବ୍ରାହ୍ମଣ ଓ ପୁରୋହିତମାନେ ରୀତିନୀତି ଅନୁସାରେ ସମସ୍ତ ପୂଜାକର୍ଯ୍ୟ ସମାପନ କରିଥିଲେ । ଏହା ପରେ ଶୁଭସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା ଓ ଆଳତୀ ପରେ ସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ଓ ଭଞ୍ଜନଗର ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।