ମା’ ମନସା ପୂଜା ଉପଲକ୍ଷେ ଗୀତିଲତା ଠାରେ ଆନ୍ତରାଜ୍ୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ବ୍ଲକ ଅନ୍ତର୍ଗତ ଗୀତିଳତା ଗ୍ରାମରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ମା’ ମନସା ପୂଜା କମିଟିର ୧୩ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆନ୍ତରାଜ୍ୟ ନୃତ୍ୟ ଓ ସୁଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ହୋଇଥିଲା । ଓଡ଼ିଶାର ରାଉରକେଲା ସମେତ ୩ଟି ଦଳ, ଝାରଖଣ୍ଡ ରାଜ୍ୟ ଜାମସେଦପୁର ନଗରର ୭ଟି ଦଳ, ଯାଦୁଗଡ଼ାର ୩ଟି ଦଳ, ଚକ୍ରଧରପୁର ଅଂଚଳର ୭ଟି ଦଳ, ବକାରୋ ଅଂଚଳର ୩ଟି ଦଳ, ପଶ୍ଚିମବଙ୍ଗ ରାଜ୍ୟ କଲିକତାର ୪ଟି ଦଳ ଓ ପୁରୁଲିଆ ଅଞ୍ଚଳର ୪ଟି ନୃତ୍ୟଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୋରିଓଗ୍ରାଫର ତୁରିଆ ଓରାମ, ଅନୀଲ ଆଲଦା ଓ ସାଇମନ ବିଚାରକ ଭାବେ ଦାଇତ୍ୱ ତୁଲାଇ ଥିଲେ । ମୁଖ୍ୟଅତିଥି ଭାବେ ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସମାଡ଼ ଓ ଜିଲ୍ଲା ପରିଷଦ ସଭ୍ୟ ପରେଶ ମୁଣ୍ଡାଙ୍କୁ କମିଟି ତରଫରୁ ପୁଷ୍ପଗୁଚ୍ଛ ଦେଇ ସଂମାନିତ କରାଯାଇଥିଲା ।ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ଼ ରାଧାକାନ୍ତ ମହାରଣା, ସଂମାନୀୟ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧକ୍ଷ ବଳଦେବ ହେମ୍ରମ, ପ୍ରାକ୍ତନ ବ୍ଲକ ଅଧକ୍ଷା ଜେମାମଣି ଶୁଣ୍ଢି, ଗୀତିଳତା ସରପଞ୍ଚ ଭାଦାଓ ସୋରେନ, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣିମା ଗାଗରାଇ, ପୂର୍ବତନ ସମିତିସଭ୍ୟ ଜିତରାଇ ବାସ୍କେ, ପୂର୍ବତନ ସମିତିସଭ୍ୟ ଅନୁଜ ଗୁପ୍ତା ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରଭାସ ପାତ୍ର । ତିରିଂ ବ୍ଲକ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ତଥା ପଶ୍ଚିମବଙ୍ଗରୁ ହଜାର ହଜାର ଶ୍ରଦ୍ଧାଳୁ ଗୀତିଳତା ଗ୍ରାମରେ ପହଞ୍ଚି ମା’ ମନସାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ନୃତ୍ୟ ପ୍ରତିଯୋଗିତାରେ କଲିକତାର ସୁମନ ଏବଂ ଏଲିନା ଯୋଡ଼ି ଚମ୍ପିୟାନ ହୋଇଥିଲା ବେଳେ ନୂଆଦିଲ୍ଲୀର ଶିବାନି ଓ ହିମାଂଶୁ ପ୍ରଥମ, ଚକ୍ରଧରପୁର ଅଞ୍ଚଳର ଡ଼ି.ସି. ଡ଼ି କ୍ରିଉ ଗ୍ରୁପ ତୃତୀୟ ଓ ଜାମସେଦପୁର ଅଂଚଳର ରାହୁଲ ଡେନ୍ସଗ୍ରୁପ ଦ୍ୱିତୀୟ ସ୍ଥାନ ଅଳଙ୍କୃତ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ବିଜେତାଙ୍କୁ ₹୨୦୦୦୦/, ଦ୍ୱିତୀୟ ବିଜେତାକୁ ₹୧୫୦୦୦/ ଏବଂ ତୃତୀୟ ବିଜେତାକୁ ₹୧୦୦୦୦/ ଧନରାଶି ସହ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମା’ ମନସା ପୂଜା କମିଟିର ଅଧ୍ୟକ୍ଷ ସୁନୀଲ ପୂର୍ତ୍ତି, ସଭାପତି ସଂଜୀବ ଆଲଦା, ସମ୍ପାଦକ ସଂଦୁ ଗାଗରାଇଙ୍କ ସମେତ କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।