କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ…..

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଶ୍ରୀ ଜୁଏଲ ଓରାମ ବିଭିନ୍ନ ବିଭାଗ, ପ୍ରକଳ୍ପ ,କାର୍ଯ୍ୟକ୍ରମ ଆଦିର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗୃହ ନିର୍ମାଣ ଓ ଏହାର ଅଗ୍ରଗତି, ହଷ୍ଟେଲ, ସହିଦ ମାଧୋ ସିଂ ବୃତ୍ତି ଯୋଜନା ଆଦି ଉପରେ ଉପସ୍ଥାପନ କରାଯାଇଥିଲା ଏବଂ କିଛି ବ୍ଲକରେ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ କିଛି ବ୍ଲକରେ ଏହାର ନିର୍ମାଣ କାର୍ଯ୍ୟ ଅଗ୍ରଗତି ହୋଇନଥିବା ବୈଠକରେ ସୂଚନା ଦେଇଥିଲେ l ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏଥି ନେଇ ସଂପୃକ୍ତ ସଂସ୍ଥାକୁ ଶୀଘ୍ର କାର୍ଯ୍ୟ ଅଗ୍ରଗତି ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବଣାଇ ଦ୍ଵାରା ପି.ଏମ.ଜନମାନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ଲହୁଣୀପଡ଼ା ବ୍ଲକରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରାଯାଇଥିଲା । ସେହିପରି ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଧାନମନ୍ତ୍ରୀ ଜନଜାତିୟ ଉନ୍ନତ ଗ୍ରାମ ଅଭିଯାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ର ସ୍ବାସ୍ଥ୍ୟ ଭିତ୍ତିଭୂମି, ଡାକ୍ତର, ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମୀ, କର୍ମଚାରୀଙ୍କ ସଂଖ୍ୟା ଆଦି ସମ୍ପର୍କରେ ଉପସ୍ଥାପନା ହୋଇଥିଲା । ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ଵାରୋପ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ବିଦ୍ୟାଳୟ,ହଷ୍ଟେଲ, ପି. ଏମ . ପୋଷଣ, ପି.ଏମ. ଶ୍ରୀ ଯୋଜନା, ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଉପରେ ଉପସ୍ଥାପନା ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କ ରେ ପାନୀୟ ଜଳ ଯୋଗାଣ ଉପରେ ସୂଚନା ଦିଆଯାଇଥିଲା। ମାନ୍ୟବର କେନ୍ଦ୍ରମନ୍ତ୍ରୀ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ପାନୀୟ ଜଳ ବ୍ୟବସ୍ଥା, ନଳକୂପ ସଂଖ୍ୟା ଏବଂ ଖରାପ ହୋଇଥିବା ନଳକୂପ ଆଦି ର ସ୍ଥିତି ସମ୍ପର୍କରେ ପଚାରି ଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲା ରେ ରାସ୍ତା ଏବଂ ସେତୁ , ସେତୁ ବନ୍ଧ ଯୋଜନା ଉପରେ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଗମନାଗମନ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଉନ୍ନତ ସ୍ବାସ୍ଥ୍ୟ ସେବା, ବିଦ୍ୟୁତ୍ ବ୍ୟବସ୍ଥା ଆଦି ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉଚିତ୍ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଡା. ପରାଗ ଗଭାଲି, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ରାଉରକେଲା ଶ୍ରୀ ଆଶୁତୋଷ କୁଲକର୍ଣି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ବଣାଇ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଳ୍ଳେ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ ନାୟକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।