ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଦୁର୍ଗମ ଦାରିଙ୍ଗବାଡ଼ି ବ୍ଳକ ସ୍ୟାଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହାସଲକା ଗ୍ରାମର ବିଶିକେଶନ ପ୍ରଧାନ ଓ ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୫୩୦ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଦାରିଙ୍ଗବାଡ଼ି ବ୍ଳକ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ରୁନିତାଙ୍କ ବାପା କହନ୍ତି ମୁଁ ସିନା ପାଠ ପଢି ପାରିଲି ନାହିଁ କିନ୍ତୁ ପିଲାମାନେ ଯେତେ ଉଚ୍ଚ ପାଠ ପଢ଼ିବେ ସେମାନଙ୍କୁ ମୁଁ ପଢ଼ାଇବି । କଥାଟି ସତ ହେଲା ରୋଜଗାର ପାଇଁ ବାପା ମା ଉଭୟେ ଦିନ ରାତି ଏକ କରିଦେଇଥିବା ବେଳେ ପିଲାମାନେ ମନ ପ୍ରାଣ ଦେଇ ପାଠପଢାରେ ଆଗକୁ ବଢ଼ିଛନ୍ତି । ଆଜି ରୁନିତାଙ୍କ ସଫଳତା ସମସ୍ତଙ୍କ ଆଖିରୁ ଖୁସିର ଲୁହ ଝରେଇ ଦେଇଛି । ରୁନିତାଙ୍କ ପିତାମାତା ପିଲାମାନଙ୍କ ଭବିଷ୍ୟତ ପାଠପଢାକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀଗାଁରେ ବସତି ସ୍ଥାପନ କରିଛନ୍ତି । ରାସ୍ତାକଡ଼ରେ ଏକ ଉଠାଦୋକାନ କରି ହାଟକୁ ହାଟ ବୁଲି ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ୬ ଜଣ ପିଲାଙ୍କୁ ପାଠ ପଢ଼ାଇବା ଉଭୟ ବାପାମାଆଙ୍କ ପାଇଁ କଷ୍ଟକର ହେଉ ଥିଲେ ସୁଦ୍ଧା ସେମାନେ ହାର ମାନି ନାହାଁନ୍ତି । ରୋଜଗାର କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି । ଛୋଟିଆ ରୋଜଗାରରେ ପିଲାଙ୍କ ପାଠ ପଢ଼ାକୁ ଗୁରୁତ୍ଵ ଦେଇଛନ୍ତି ବାପା ମା । ରୁନିତାଙ୍କ ପ୍ରାଥମିକ ଶିକ୍ଷା ଦାରିଙ୍ଗବାଡ଼ି ସ୍ଥିତ ଡବେରୀ ସେବାଶ୍ରମରେ ଆରମ୍ଭ ହୋଇଥିଲା ପରେ ସେ କନ୍ୟାଶ୍ରମରେ ପାଠ ପଢି କନ୍ଧମାଳ ଜିଲ୍ଲାର ଟପର୍ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ l ପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ଅଧ୍ୟୟନ କରି ଦ୍ବିତୀୟ ଟପର୍ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରି ଗୋଲଡ ମେଡାଲ ହାସଲ କରି କିସ୍ ବିଶ୍ବବିଦ୍ୟାଳୟରେ ପିଏଚଡି କରିବା ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଥିଲେ l ଆଜି ସେ ୫୩୦ ରାଙ୍କ୍ରେ ଉତ୍ତୀର୍ଣ୍ଣ ହୋଇ ସଫଳତାର ଶୀର୍ଷ ରେ ପହଞ୍ଚି ଛନ୍ତି । ରୁନିତାଙ୍କ ଏହି ସଫଳତା ପରିବାରରେ ଖୁସି ଆଣିଦେବା ସହ ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇଛି ।