ଅନିଶ୍ଚିତତା ମଧ୍ୟରେ ବ୍ରାହ୍ମଣୀଗାଁର ବିଏସଏନ୍ଏଲ ଟାୱାର: ସଂଯୋଗ ହୋଇ ପାରୁ ନାହିଁ ୪ ଜୀ କେବୁଲ, ପାଞ୍ଚଦିନ ହେଲାଣି ନେଟୱର୍କ ସେବା ଠପ୍ …..
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ବୃହତ୍ତ ବଜାର ହେଉଛି ବ୍ରାହ୍ମଣୀଗାଁ l ଏଠାରେ ଜିଲ୍ଲାର ସୀମାନ୍ତବର୍ତ୍ତି ଥାନା ଅଛି l ଆଗରୁ ଏହା ମାଓବାଦି ପ୍ରବଣ ଇଲାକା ଭାବେ ପରିଚିତ ଥିବାରୁ ସୁରକ୍ଷା କର୍ମୀ ମୁତୟନ ହୋଇ ରହି ଆସୁଛନ୍ତି l ଦୂରଭାଷା ଯୋଗାଯୋଗର ଅଭାବ ହେତୁ ସୁରକ୍ଷା କର୍ମୀ ନିଜକୁ ଅସୁରକ୍ଷିତ ମଣୁ ଥିବା ବେଳେ ଅଞ୍ଚଳ ବାସୀଙ୍କ ଦୁଃଖ ଅନେକ l ଦିନ ଦିନ ମାସ ମାସ ଧରି ବିଏସଏନଏଲ ଟାୱାର ଅଚଳ ରହୁଛି l ଏଥି ପ୍ରତି ବିଭାଗୀୟ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ଜନ ସନ୍ତୋଷ ବଢ଼ିବାରେ ଲାଗିଛି l ବ୍ରାହ୍ମଣୀଗାଁ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ନିର୍ମାଣ ପାଇଁ ବାରମ୍ଵାର ବିଭାଗୀୟ କତ୍ତୃପକ୍ଷଙ୍କୁ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହାର ସ୍ଥାୟୀ ସମଧାନ ହୋଇ ପାରି ନାହିଁ । ଅନ୍ୟ ପାଖ ଅଞ୍ଚଳରେ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଟାୱାର ସ୍ଥାପନ କରାଯାଉ ଥିବା ବେଳେ ବ୍ରାହ୍ମଣୀଗାଁ ପ୍ରତି ଜିଲ୍ଲା ପ୍ରଶାସନର ଏ କି ପ୍ରକାର ମନୋଭାବ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି ? ବିଏସଏନ୍ଏଲର ଏକ ମାତ୍ର ଟାୱାର, ଅଞ୍ଚଳ ବାସୀଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ଆଜକୁ ପ୍ରାୟ ପାଞ୍ଚ ଦିନ ହେଲାଣି ଇଣ୍ଟର୍ନେଟ୍ ସେବା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ପ୍ରାୟ ଏକ ବର୍ଷ ବିତିଗଲାଣି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ୪- ଜୀ କେବୁଲ ସଂଯୋଗ କରାଯିବ ବୋଲି ଶୁଣିବାକୁ ମିଳୁଛି l କେବେ ସୁଦ୍ଧା ତାହା ସଂଯୋଗ ହେବ ତାହାର କୌଣସି ନିଶ୍ଚିତତା ନାହିଁ l ବାଲିଗୁଡା ଏସଡିଓଙ୍କୁ ପଚାରିଲେ “କାମ୍ ଚାଲ୍ ରାହା ହୈ ଏକ ମହିନେ କା ଅନ୍ଦର୍ ହୋ ଜାଏଗା” କହୁଥିବାର ପ୍ରାୟ ଏକ ବର୍ଷ ବିତିଗଲାଣି କୌଣସି ସୁଫଳ ମିଳୁନାହିଁ । ଇଣ୍ଟର୍ନେଟ୍ ସେବା ଅଚଳ ଥିବାରୁ ବ୍ରାହ୍ମଣୀଗାଁର ସ୍କୁଲ, କଲେଜ, ବ୍ୟାଙ୍କ, ଥାନା, ରାଜସ୍ୱ ବିଭାଗ, ବନ ବିଭାଗ, ମେଡ଼ିକାଲ, ପଞ୍ଚାୟତ କାର୍ଯ୍ୟାଳୟ, ଆଦି ସରକାରୀ, ବେସରକାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ବିଶେଷ କରି ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେଉଛି । ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉ ଥିବାରୁ କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହିହେବ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଇଣ୍ଟରନେଟ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।