ପୁଣି ଚମକିଲେ ଡଙ୍ଗରିଆ ଛାତ୍ର…

ରାୟଗଡ଼ା(ଚନ୍ଦ୍ର ଶେଖର ମହାନ୍ତିି): ପୁଣି ଚମକିଛନ୍ତି ଡଙ୍ଗରିଆ କନ୍ଧ ଛାତ୍ର ଅଜୟ କୁମାର କାଡ୍ରାକା l ଛାତ୍ର ଅଜୟ ଚଳିତ ବର୍ଷ ହୋଇଥିବା ୟୁଜିସି ଦ୍ବାରା ପରିଚାଳିତ ଏନ୍ଇଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାୟଗଡ଼ା ଜିଲ୍ଲାର ନାମକୁ ଗୌରବନ୍ବିତ କରିଛନ୍ତି । ଏହି ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହେବା ପରେ ଅଜୟ ଆସିଷ୍ଟାଣ୍ଟ ପ୍ରଫେସର କନିଷ୍ଟ ରିସର୍ଚ୍ଚ ଫେଲୋ ଏବଂ ପିଏଚଡ଼ି ବିଭାଗରେ ନିଜ ଭବିଷ୍ଯତ
ଗଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅଜୟ କାଡ୍ରାକା ବିଷମ କଟକ ବ୍ଲକ କୁଳି ପଞ୍ଚାୟତର ଖମ୍ବେସି ଗ୍ରାମର ବାସିନ୍ଦା । ଗତ ବର୍ଷ ରାଜନୀତି ବିଜ୍ଞାନରେ ମାଷ୍ଟର୍ସ ଡ଼ିଗ୍ରୀ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ଜିଲ୍ଲା ସାସ୍କୃତିକ ମହୋତ୍ସବ ଚଇତିରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଥିଲା । ଅଜୟଙ୍କ ବାପା ରାଟୁ କଡ୍ରାକା ଖମ୍ବେସି ଗ୍ରାମର ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ଲାକେ କାଡ୍ରାକା ଚାଷ କାମ କରନ୍ତି ।
ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅଜୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବାର ଲାଗିଛି ।