ଗୁଣପୁର(ସୁନିଲ୍ କୁମାର ସାବତ): ଷାଠିଏ ସତୁରୀ ଦଶକରୁ ଆୟୋଜନ ହେଉଛି ବାଉରୀ ସାହିର ଦୁର୍ଗା ପୂଜା । ନିଜସ୍ୱ କାରିଗରଙ୍କ ଦ୍ଵାରା କଳାକୃତିକୁ ନେଇ ସର୍ଵଦା ଚର୍ଚ୍ଚାରେ ରହି ଆସୁଥିବା ବାଉରୀ ସାହିର ଦଶହରା ପୂଜା ଏଥର ମଧ୍ୟ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିଟି କଳାକୃତି ସଚେତନ ବାର୍ତ୍ତା ଦେବା ଘଟଣା ଉଚ୍ଚ ପ୍ରଶଂସା ଲାଭ କରିଛି । ବିଶେଷ କରି ଗୁଣପୁର ଅଞ୍ଚଳରେ ବାଉରୀ ସାହିର ଦୁର୍ଗା ପୂଜା ଆୟୋଜନ ପାଇଁ ଅନେଇ ବସିଥାଆନ୍ତି । କରନା କାରଣରୁ କିଛି ବର୍ଷ ପାଇଁ ପୂଜା ଆୟୋଜନରେ ଅନ୍ତରାୟ ସୃଷ୍ଟି ହୋଇଥିଲା । ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ଚଳିତ ବର୍ଷ ଦଶହରା ଖୁବ୍ ଜମିଛି । ଦୀର୍ଘ ୬୦ ବର୍ଷରୁ ବାଉରୀ ସାହିରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଥିଲା । ସ୍ଥାନୀୟ କାରିଗର, ଚିତ୍ରକାର, ମୂର୍ତ୍ତି ଶିଳ୍ପୀରେ ଭରପୁର ଏହି ଅଞ୍ଚଳ । ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ରହିଛି କିଛି ନା କିଛି ପ୍ରତିଭା । ନିଜେ ନିଜେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଠାରୁ ଆରମ୍ଭ କରି ପାର୍ଶ୍ୱ ଦେବାଦେବୀ, ବିଭିନ୍ନ କଳା କୁଞ୍ଜରେ ଏହି କାରିଗରମାନଙ୍କ ବିଶେଷ ସ୍ୱତନ୍ତ୍ରତା ରହିଛି । ତେଣୁ ଏମାନେ ପର୍ବ ପର୍ବାଣୀରେ ବାହାର କାରିଗରଙ୍କ ଉପରେ ନିର୍ଭର କରନ୍ତି ନାହିଁ । ପୁରୁଣା ଚିତ୍ରଶିଳ୍ପୀ ଶ୍ୟାମ ବାଉରୀ(ମାଝି), କେ ମାର୍କଣ୍ଡ, ରାମ ବାଉରୀଙ୍କ ସମେତ ଅନ୍ୟ କନିଷ୍ଠ ଶିଳ୍ପୀ ହାତ ସ୍ପର୍ଶରେ ମୁର୍ତ୍ତୀ ଗୁଡିକ ଜୀବନ୍ତ ଦିଶୁଛନ୍ତି । ଚଳିତ ବର୍ଷ ସୁସଜ୍ଜିତ ତୋରଣ, ଆକର୍ଷଣୀୟ ମଣ୍ଡପ, ଶ୍ରୀମନ୍ଦିର, ଜଗନ୍ନାଥ ସଂସ୍କୃତି ସହ ଅନ୍ୟାନ୍ୟ ପୌରାଣିକ କିମ୍ବଦନ୍ତୀକୁ ନେଇ କଳାକୁଞ୍ଜଗୁଡ଼ିକ କରାଯାଇଛି l ଯାହାକି ସାମାଜିକ ବାର୍ତ୍ତା ପ୍ରଦାନ କରୁଛି । ପୁରୀ ଶ୍ରୀମନ୍ଦିର, ହାତଗୋଡ଼ ଥାଇ ଆଜିର ମଣିଷ ପରିଶ୍ରମ କରିବାକୁ ନାରାଜ ବରଂ ଭିକ୍ଷାବୃତ୍ତିକୁ ଶ୍ରେୟ ମଣିବା, ଆଜିର ନାରୀ ସମାଜ ମୋବାଇଲରେ ବ୍ୟସ୍ତ ରହି ନିଜ ପିଲାଙ୍କୁ ଭୁଲିଯିବା, ଘରୋଇ ଡାକ୍ତରଖାନାରେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ ମିଳିବା, ଯୁବପିଢ଼ି ନିଶା କବଳିତ ହୋଇ ନିଜର ସ୍ୱାସ୍ଥ୍ୟ ହରାଇବା ଭଳି କିଛି ସମାଜ ସଂସ୍କାରଧର୍ମୀ ବାର୍ତ୍ତା କଳାକୁଞ୍ଜ ମାଧ୍ୟମରେ ପ୍ରଦର୍ଶନ ବାଉରୀ ସାହିର ପୂଜା ମୁଖ୍ୟ ଆକର୍ଷଣ ପାଲଟିଛି । ଏହି କଳାକୃତି ଏବଂ ଦୁର୍ଗା ପୂଜା ଦେଖିବାକୁ ବାଉରୀ ସାହି ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ୭ ବର୍ଷ ପରେ ବାଉରୀ ସାହିରେ ପୁଣି ଥରେ ଦୁର୍ଗା ପୂଜା ଆୟୋଜନ ହେଉଥିବାରୁ ସହର ଉତ୍ସବ ମୁଖର ହୋଇଛି ।