ମଦମୁକ୍ତ ପଞ୍ଚାୟତ କରିବା ପାଇଁ ଏକତ୍ରିତ ହେଲେ ମହିଳା ସଙ୍ଗଠନ: ଗଠନ ହେଲା ପଞ୍ଚାୟତ ସ୍ତରୀୟ କମିଟି, ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଦାବୀପତ୍ର ପ୍ରଦାନ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବ୍ରାହ୍ମଣୀଗାଁ ପଞ୍ଚାୟତକୁ ସମୂର୍ଣ୍ଣ ମଦ ମୁକ୍ତ ପଞ୍ଚାୟତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ମହିଳା ସଙ୍ଗଠନ l ରବିବାର ଦିନ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଉକ୍ତ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ବିକ୍ରମାଦିତ୍ୟ ବସ୍ତିରାୟ , ଆଇନଜୀବି ତଥା ଦାରିଙ୍ଗବାଡି ଓକିଲ ବାର୍ ଆସୋସିଏସନର ସଭାପତି ରଞ୍ଜିତ କୁମାର ମନ୍ତ୍ରୀ, ଏକ୍ସ ଆର୍ମି ନିରଞ୍ଜନ ଧଙ୍ଗଡା ମାଝୀ, ରମାକାନ୍ତ ସିଂ, ୱାର୍ଡ ସଭ୍ୟା ଯମୁନା ମଲ୍ଲିକ, ମାର୍କ ସିଂ, ପାଜିସା ସୁନା ମାଝୀ ପ୍ରମୁଖ ଉପସ୍ଥିତ ରହି ଦିଗ୍ ଦର୍ଶନ ଦେଇଛନ୍ତି l ମଦଯୋଗୁଁ ଅଞ୍ଚଳରେ ଅନେକ ଲୋକ ଅକାଳ ମୃତ୍ୟୁ ଭୋଗ କରୁଛନ୍ତି l ଅତି କମ୍ ବୟସର ପିଲାମାନେ ସ୍କୁଲ କଲେଜ ପଢ଼ିବା ସହ ମଦ୍ୟ ପାନ କରି ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ସହ ପିତାମାତା ଓ ଗୁରୁଜନମାନଙ୍କ ଅବାଧ୍ୟ ହେଉଛନ୍ତି l ପରିବାରରେ କଳହ ସୃଷ୍ଟି କରୁଛନ୍ତି l ଏଣୁ ମଦ ମୁକ୍ତ ଅଞ୍ଚଳ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ଉକ୍ତ ବୈଠକରେ ମତ ପ୍ରକାଶ ପାଇଛି। ଆୟୋଜିତ ବୈଠକରେ ମଦ ମୁକ୍ତ ଅଭିଯାନକୁ ସଫଳ କରିବା ପାଇଁ ଏକ ପରିଚାଳନା କମିଟି ଗଠନ କରାଗଲା l ଉକ୍ତ କମିଟିର ସଭାପତି ଉଷାରାଣୀ ସିଂ, ଉପସଭାପତି ସୁଭଦ୍ରା ସିଂ, ସମ୍ପାଦିକା ତନୁଶ୍ରି ମାଳ ବିଷୋୟୀ, କୋଷାଧ୍ୟକ୍ଷା ସଂଯୁକ୍ତା ଉଥାନ ସିଂ, ସହ କୋଷାଧ୍ୟକ୍ଷା ସାରାମାଙ୍ଗା ମାଝୀ ଓ ସଦସ୍ୟ ଭାବେ ସସ୍ମିତା ନାୟକ, ଗାଡ଼ାମାଙ୍ଗା ମାଝୀ, ଜାନକୀ ନାୟକ, ଅଞ୍ଜଳୀ ସିଂ, ସଞ୍ଜିତା ମନ୍ତ୍ରୀ, ଅଞ୍ଜନା ସିଂଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇଥିଲା ଏବଂ ପରାମର୍ଶ ଦାତା ଭାବେ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ରମାକାନ୍ତ ସିଂ, ନିହାର ରଞ୍ଜନ ସିଂ, ବିକ୍ରମା ଦିତ୍ୟ ବାସ୍ତିରାୟ, ଓକିଲ ରଞ୍ଜିତ କୁମାର ମନ୍ତ୍ରୀଙ୍କୁ ଚୟନ କରାଯାଇଛି । ଇତି ମଧ୍ୟରେ ଅଲାଞ୍ଜୁରୀ ଗ୍ରାମର ମହିଳାମାନେ ନିଜ ଗ୍ରାମରେ ପ୍ରଥମେ ମଦ ମୁକ୍ତ କରିବାକୁ ବିଭିନ୍ନ ସଭା ସମିତି କରି ମଦ ରନ୍ଧା ଓ ବିକ୍ରି କରୁଥିବା ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ମା ସଂଘ ଓ ଗ୍ରାମ ବାସୀମାନଙ୍କ କଥାକୁ ଭ୍ରୁକ୍ଷେପ ନ କରି ଅବାଧ୍ୟ ମଦକାରବାରରେ ଲିପ୍ତ ରହୁ ଥିବା ଏକ ପ୍ରକାର ଚିନ୍ତା ବଢ଼ାଇ ଦେଇଛି । ବ୍ରାହ୍ମଣୀଗାଁ ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ପରିସର ମଧ୍ୟରେ କିଛି ବ୍ୟକ୍ତି ଅସାଧୁ ଉପାୟରେ ମଦ କାରବାର କରୁଥିବା ନେଇ ଅଭିଯୋଗ ହୋଇଥିଲା l ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକ ଉକ୍ତ ମଦ ବେପାରୀମାନଙ୍କୁ ନୋଟିସ୍ କରିବା ସହ ଏସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନଥିବା କହିଛନ୍ତି ।
ଏଣୁ ଏହି ବୈଠକ ପରେ ମା ସଂଘ ସମୂହ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତ କରି ମଦ ମୁକ୍ତ ଅଞ୍ଚଳ ଗଠନ କରିବାରେ ସହାୟତା ପ୍ରଦାନ କରିବା ପାଇଁ ସରପଞ୍ଚ ଶ୍ରୀମତୀ ମଲ୍ଲିକଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବିପତ୍ର ପାଇବା ପରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀ ହାଇବୁରୁ ମା ସଂଘ ସମୂହକୁ ପ୍ରତିଶୃତି ଦେଇଛନ୍ତି । ଅଞ୍ଚଳରେ ମଦ ମୁକ୍ତ ନ ହେବା ପର୍ଯ୍ୟନ୍ତ ମହିଳା ସଙ୍ଗଠନ ଦୃଢ଼ତାର ସହ କାର୍ଯ୍ୟ କରିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।