ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ପଞ୍ଚାୟତ ସମିତି ସଭାଗୃହରେ ସୋମବାର ଦିନ ଜିଲ୍ଲାପାଳଙ୍କ ଏକ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସିନାପାଲି ବାସିନ୍ଦା ହେତୁରାମ ମେହେର ନିଜ ମାଆ ବିମଲା ମେହେରଙ୍କ ଚିକିତ୍ସା ପାଇଁ ସାହାଯ୍ୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ବିମଲା ମେହେର ବର୍ତ୍ତମାନ ରୋଗାଗ୍ରସ୍ଥ। l ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ପରେ ମଧ୍ୟ କୋଣସି ସୁଫଳ ମିଳିଲା ନାହିଁ । ତେଣୁ ସେ ଛତିଶଗଡ଼ ରାଜ୍ୟ ସ୍ଥିତ ରାୟପୁର ବାଲାଜୀ ହସପିଟାଲକୁ ଚିକିତ୍ସିତ ହେବା ପାଇଁ ଗଲେ । ତାଙ୍କ ସ୍ୱାମୀ ବୈରାଗୀ ମେହେରଙ୍କ ନାମରେ ଅନ୍ତୋଦୟ କାଡ ରହିଛି । ସେହି ହିସାବରେ ପରିବାର ୦୬ ସଦସ୍ୟ ମଧ୍ୟରୁ ଜଣକର ନାମରେ ବିଜୁ ସ୍ୱାସ୍ଥ୍ୟ ବୀମା କାଡ ରହିଛି । ତେଣୁ ବିମଲା ମେହେରଙ୍କ ଚିକିତ୍ସାରେ ସହାୟକ ହୋଇପାରିଲା ନାହିଁ । ଏଣୁ ବିମଳା ମେହେରଙ୍କ ପୁଅ ହେତୁରାମ ମେହେର ସହଯୋଗ କରିବାକୁ ଜିଲ୍ଲାପାଳଙ୍କୁ ଜଣାଇଲେ । ଶିବିରରେ ଉପସ୍ଥିତ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଜାଣିପାରି କିଛି ଆର୍ଥିକ ସହଯୋଗ କରିଥିଲେ । ଏହା ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ଆଲୋକ ଅନୁଗୁଲିଆଙ୍କ ଦୃଷ୍ଟିକୁ ଏହି ସମସ୍ୟା ଅବଗତ କରାଇଥିଲେ । ପରେ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନଙ୍କ ମିଳିତ ଉଦ୍ୟମ ଫଳରେ ବିମଲା ମେହେରଙ୍କ ନାମ ବିଜୁ ସ୍ୱାସ୍ଥ୍ୟ ବିମାକାଡରେ ଯୋଗ କରାଯାଇଥିଲା । ବର୍ତ୍ତମାନ ବିମଳା ମେହେର ବାଳାଜି ହସପିଟାଲ ରାୟପୁର ଠାରେ ସୁବିଧା ଓ ସହଜରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ଅଞ୍ଚଳରେ ଜଣାପଡିବା ପରେ ବହୁତ ପ୍ରସଂଶାର ସୁଅ ଛୁଟିଛି ।