ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ ): ସରକାରୀ ନିର୍ଦ୍ଦେଶାନାମା ପ୍ରକାରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀର ପୂର୍ବ ଦିନ ପ୍ରତ୍ୟେକ ପଞ୍ଚାୟତ ଠାରୁ ଆରମ୍ଭ କରି ମୁନିସିପାଲଟୀ ସହ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ହେଲେ କିଛି ସ୍ଥାନରେ ଅଳିଆ ଆବର୍ଜନା ସଫା କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଖାଲି ଫଟୋ ଉଠାଇ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଇଥିଲା । ସ୍ବଚ୍ଛତା ପାଇଁ ସରକାର ସ୍ବଚ୍ଛ ଭାରତ ଅଭିଯାନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ସ୍ବଚ୍ଛତା କରାନଯାଇ ଖାଲି କାଗଜ କଲମ ଓ ଫଟୋ ରେ ସ୍ବଚ୍ଛତା ପ୍ରଦର୍ଶନ ହେଉଛି । କିନ୍ତୁ ବାସ୍ତବରେ କିଛି ହେଉ ନାହିଁ । ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିଶନକାଫେ ନିକଟ ଆହାର କେନ୍ଦ୍ର ଭାଗ ପରିବା ବଜାର ହାଟ ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି l ପ୍ୟୈରପରିଷଦ ତରଫରୁ ୨୨ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯନ୍ତବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଗତ ୨୫ ତାରିଖରେ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ବିଜୁପଟ୍ଟନାୟକ ଛକ ଦେଇ ପୁଣି ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଥିଲା । ହେଲେ ଖାଲି ଫଟୋ ଉଠାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଗଲା । ମୁନିସିପାଲଟି ଠାରୁ ମାତ୍ର ଏକ ଶହ ମିଟର ଦୂର ତଥା ଜାତୀୟ ରାଜପଥ କଡ ପରିବା ବଜାରରେ ଆବର୍ଜନା ଗଦା ଗଦା ହୋଇ ପଡ଼ି ରହିଥିଲେ ସୁଦ୍ଧା ତାହାକୁ ସଫା କରାଗଲା ନାହିଁ । ଆଗକୁ ଦଶହରା ସେହି ସ୍ଥାନରେ ବ୍ୟବସାୟୀମାନେ ମାଁ ଦୂର୍ଗାଙ୍କ ପୂଜା କମିଟି ତରଫରୁ ଅନୁଷ୍ଠିତ ହେବ । ଉକ୍ତ ଅଳିଆ ଗଦା ପାଖରେ , ବସଷ୍ଟାଣ୍ଡ, ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର ରହିଥିବା ବେଳେ ପ୍ରତି ଦିନ ଗର୍ଭବତୀ, ପ୍ରସୂତି ଓ ରୋଗୀ, କୁନି କୁନି ଛୁଆଙ୍କ ସହ ଯାତ୍ରୀମାନେ ଆସିଥାନ୍ତି । ହେଲେ ଅଳିଆ ଗଦା ହୋଇ ରହିଥିବା ଯୋଗୁଁ ସେଠାରେ ଘୁଷୁରୀଙ୍କ ପ୍ରାଦୃଭାବ ବଢିବା ସହ ମଶା ବଂଶ ବୃଦ୍ଧି ପାଉଛି । ଯାହାରି ଫଳରେ ରାତି ହେଉ ଅବା ଦିନ ମଶାଙ୍କ ପ୍ରାର୍ଦୁଭାବ ବଢିବା ସହ ଗନ୍ଧରେ ନାକ ଫାଟି ଯାଉଛି । ହେଲେ ଉକ୍ତ ସ୍ଥାନକୁ ସଫା ସୁତରା କରାଯାଉ ନାହିଁ । ବରଂ ସ୍ଵଚ୍ଛତା ହିଁ ସେବା ନାମରେ ଫଟୋ ଉଠାଇ ମୁନିସିପାଲଟି ପକ୍ଷରୁ ବାହା ବାହା ନିଆଯାଉଛି । ଏଣୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଖାଲି ଫଟୋ ଉଠାଇ ଦେଖେଇ ହେବା ବଦଳରେ ବାସ୍ତବିକ ଭାବେ ଅଳିଆ ଆବର୍ଜନା ସଫା କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।