ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ସେଥିମଧ୍ୟରୁ ଅଙ୍ଗନବାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜୁଲାଇ ୨୭ ତାରିଖରେ ଆବେଦନ କରାଯିବା ପାଇଁ ଗୁମ୍ମା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଥିଲା । ଏନେଇ ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ପଞ୍ଚାୟତ ଅଧିନସ୍ଥ ସେରଙ୍ଗ ସି ସେଣ୍ଟର ପାଇଁ ଅନେକ ଆବେଦନ କାରୀ ଆବେଦନ କରିଥିଲେ । ସେରଙ୍ଗ ସି ସେଣ୍ଟରଟି ପାଇକ ସାହି ମଧ୍ୟରେ ରହିଥିବାରୁ ଉକ୍ତ ପାଇକ ସାହିର ଅନେକ ଆବେଦନ କାରୀ ଆବେଦନ କରିଥିଲେ । କିନ୍ତୁ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଗୁମ୍ମା ପକ୍ଷରୁ ମଙ୍ଗଳବାର କାର୍ଯ୍ୟାଳୟ ଆଦେଶ ପ୍ରକାଶ ପାଇଥିଲା ।କାର୍ଯ୍ୟାଳୟ ଆଦେଶରେ ସେରଙ୍ଗ ସି ସେଣ୍ଟର ପାଇଁ ଉକ୍ତ ସେରଙ୍ଗ ପାଇକ ସାହିର କୌଣସି ଆବେଦନକାରୀ ନିଯୁକ୍ତି ପାଇନଥିବା ଜାଣିବା ପରେ ଗ୍ରାମର ଶତାଧିକ ଲୋକେ ବୁଧବାର ଗଜପତି ଜିଲ୍ଲାପାଳଙ୍କ ଦ୍ଵାରାସ୍ତ ହୋଇଥିବା ଜଣାପଡିଛି ।ଅଭିଯୋଗ ଅନୁସାରେ ସେରଙ୍ଗ ସି ସେଣ୍ଟର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହେଉଥିବା ସହ ନିୟମ ଅନୁଯାୟୀ ନିଯୁକ୍ତି କରାଯାଇନଥିବା କହିଛନ୍ତି ଗ୍ରାମବାସୀ । ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ଠାରେ କୌଣସି ବୈଠକ ନକରିବା ସହ ଉଭୟ ଆବେଦନକାରୀ ସହମତି ନନେଇ କିପରି ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ରୁନି ଦଳାଇ, ଶ୍ରୀୟା ପାଇକ, ଲଷ୍ମୀ ପାଇକ, ପୂର୍ଣ୍ଣିମା ପାଇକ, ଗାୟତ୍ରୀ ପାଇକ ଓ କଳ୍ପନା ପାଇକ ।ସେହିପରି ଗୁମ୍ମା ବ୍ଲକ ଅନ୍ତର୍ଗତ ତାରଙ୍ଗଡ଼ା ପଞ୍ଚାୟତ ଅଧିନସ୍ଥ କୁଲୁଣ୍ଡା ବି ସେଣ୍ଟର ଠାରେ ମଧ୍ୟ ଏପରି ନିଯୁକ୍ତିରେ ଅନିୟମିତତା ହେଉଥିବା ନେଇ ଉଭୟ ଆବେଦନକାରୀ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କୁ ଅଭିଯୋଗ କରିଥିଲେ ।