ଧରାକୋଟ(ସୁନୀଲ କୁମାର ଚୌଧୁରୀ ): ଗତ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ନିଜକୁ ସାମିଲ କରିବା ପାଇଁ ମହିଳା ମାନେ ୧୭ ତାରିଖ ପୂର୍ବରୁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ସମ୍ମୁଖରେ ରାତି ଉଜାଗର ରହି ଲାଇନ ଲଗାଉଥିଲେ । ପ୍ରଥମ ପର୍ଯ୍ୟାୟରେ କେତେକ ଏକାଉଣ୍ଟକୁ ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ଆସିବା ପରେ ମହିଳାମାନଙ୍କ ମଧ୍ୟରେ ଏକ ରକମ ଟେନସନ ବଢିଥିଲା । ଏହା ପରେ ଗତ ୧୫ ତାରିଖ ମଧ୍ୟରେ ଆବେଦନ କରିଥିବା ମହିଳାଙ୍କ ଖାତାକୁ ପାଞ୍ଚ ହଜାର ଟଙ୍କା ଆସିଥିଲା । ଏହା ପରେ ସମ୍ପ୍ରତି ପରିସ୍ଥିତି ଅଣ ଆୟତ ଅବସ୍ଥାରେ ପହଞ୍ଚିଥିବା ଦେଖା ଦେଇଛି । ଖାତାକୁ ଆସିଥିବା ଟଙ୍କା ଉଠାଇବା ପାଇଁ ମହିଳା ମାନେ ବ୍ୟାଙ୍କ ସମ୍ମୁଖରେ ଲାଇନ ଲଗାଉଥିବା ବେଳେ ଯାହାର ଟଙ୍କା ଆସିନାହିଁ ଏହାର କାରଣ ଖୋଜିବା ପାଇଁ ଅନ୍ୟ ମହିଳାମାନେ ଲାଇନ ଲଗାଉଥିବା ଦେଖା ଯାଉଛି । ଇକେୱାଇସି କରିବା, ଡିବିଟି ଲିଙ୍କ କରିବା,ବନ୍ଦ ଖାତାକୁ ସଚଳ କରିବା ପାଇଁ ସମ୍ପ୍ରତି ଭୋରରୁ ବ୍ୟାଙ୍କ ସମ୍ମୁଖରେ ନାହିଁ ନଥିବା ଭିଡ ଜମାଉଛନ୍ତି ମହିଳା । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମ୍ମୁଖରେ ଟେଣ୍ଟ ଲଗା ଯାଇଛି । ହେଲେ ଟେଣ୍ଟ ବାହାରେ ମଧ୍ୟ ମହିଳାମାନେ ଖରା ବର୍ଷରେ ଧାଡ଼ି ବାନ୍ଧି ଲାଇନରେ ରହୁଛନ୍ତି । ଅନ୍ୟ କିଛି ମହିଳା ଖରାକୁ ଡରି ନିଜ ନିଜ ଚପଲ ଲାଇନ ରେ ରଖୁଛନ୍ତି । ଅନ୍ୟ ପକ୍ଷରେ ଧରାକୋଟ ଷ୍ଟେଟ ବ୍ୟାଙ୍କରେ ଛଅ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି ରାଷ୍ଟ୍ରାୟତ ବ୍ୟାଙ୍କରେ ସଦର ମହକୁମାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଆର୍ଥିକ କାରବାର ସହ, ପେନସନ ଭୋଗି, ଛାତ୍ର ଛାତ୍ରୀ, ବ୍ୟବସାୟୀମାନେ ନିଜ ନିଜର କାରବାର ପାଇଁ ଆସୁଛନ୍ତି । ଏଣୁ ବ୍ୟାଙ୍କ ସମୟ ସୀମା ମଧ୍ୟରେ ନାହିଁ ନଥିବା ଗହଳି ଲାଗି ରହୁଛି । ସୁଭଦ୍ରା ଭିଡ ଯୋଗୁଁ ବ୍ୟାଙ୍କ କର୍ମଚାରୀମାନେ ଏକରକମ ଅଣ ନିସ୍ଵାସି ହୋଇ ପଡିବା ଯୋଗୁଁ ଭିଡ ନିୟନ୍ତ୍ରଣ ପାଇଁ ବାହାରେ ଦୁଇଟି ବାଉଁଶ ଲାଇନ କରାଯାଇ ସୀମିତ ମହିଳାଙ୍କୁ ଭିତରକୁ ଛଡ଼ା ଯାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୈନିକ ୫୦ ଜଣଙ୍କ କେୱାଇସି କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଷ୍ପତି ଗ୍ରହଣ କରିଥିବା ଯୋଗୁଁ ଦୈନିକ ଦୂର ଦୂରାନ୍ତରୁ ଆସୁଥିବା ଶତାଧିକ ମହିଳା ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି । ପ୍ରତିଦିନ ୫୦ ଗୋଟି ଫର୍ମ ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ବେଳେ ଏହାକୁ ପୁରଣ କରି ଦେବାରେ ବିଳମ୍ବ ଘଟୁଛି l ଏହି ଫର୍ମ ପରବର୍ତ୍ତୀ ଦିନ ଦେଲେ କର୍ତ୍ତୃପକ୍ଷ ରଖୁ ନଥିବା ଯୋଗୁଁ ମହିଳାମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଭିଡ କମାଇବା ପାଇଁ ବ୍ୟାଙ୍କ କର୍ମଚାରୀମାନେ ତ୍ୱରିତ ସମାଧାନ ନକରି ବିଳମ୍ବ କରୁଥିବା ଯୋଗୁଁ ସେମାନଙ୍କ ବିରୋଧରେ ମହିଳାମାନେ ଅଭିଯୋଗ ଫର୍ଦ୍ଦ ବାଢ଼ୁଛନ୍ତି । ଅନ୍ୟ ପକ୍ଷରେ ଇକେୱାଇସି ଅପଟୁଡେଟ ହେଉନଥିବା ଯୋଗୁଁ କିଛି ମହିଳା ଦିନ ତମାମ ଅପେକ୍ଷା କରି ଫେରୁଥିବା ଦେଖିବାକୁ ମିଳୁଛି । ସେପଟେ ସୁଭଦ୍ରା ଭିଡ ଯୋଗୁଁ ବ୍ୟାଙ୍କକୁ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା ଗ୍ରାହକ ମାନେ ହଟହଟା ହେଉଛନ୍ତି । ସୁଭଦ୍ରା ଯୋଜନା ପାଇଁ ସରକାର ଲୋକଙ୍କୁ ସଚେତନତା କରୁଛନ୍ତି । ଆବେଦନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏଣୁ ସମସ୍ତେ ଏହି ଯୋଜନାରେ ସାମିଲ ହେବାପାଇଁ ପର୍ଯ୍ୟାପ୍ତ ସମୟ ରହିଛି । ହେଲେ ଏହାକୁ କର୍ଣ୍ଣପାତ କରୁନାହାନ୍ତି ମହିଳା । ଟଙ୍କା ପାଇବାର ଆଶା ଓ ଆଶଂକାର ଦୋଛକିରେ ଏବେ ସୁଭଦ୍ରା ଯୋଜନା ଆଶାୟୀ । ଏଣୁ ସରକାର ଘରେ ଘରେ ସୁଭଦ୍ରା ଯୋଜନାର ବହୁଳ ପ୍ରଚାର ପ୍ରସାର କରି ମହିଳାମାନଙ୍କୁ ସଚେତନ କରାଇଲେ ଏହି ସମସ୍ୟାର ସମାଧାନ ହୋଇପାରିବ ।