ନୂଆପଡା(ବିରବଲ ପ୍ରଧାନ): ନୁଆପଡ଼ା ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ ହେଉଥିବା ବିକାଶ ମେଳାର ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପୌରହିତ୍ୟରେ ଏକ ବହୁଭାଷୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଜିଲ୍ଲାର ୫ ଗୋଟି ବ୍ଲକର ୩୯ ଜଣ କବି ଯୋଗଦାନ କରି ସ୍ବରଚିତ କବିତା ପାଠ କରି ଥିଲେ l ଯୁବ ଓ ବରିଷ୍ଠ କବିଙ୍କ ସହ ସ୍ବରଚିତ କବିତା ପାଠ କରି ଥିଲେ ନୂଆପଡା ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲ ପ୍ରମୁଖ କବି l ଜିଲ୍ଲାର ବରିଷ୍ଠ ନାଟ୍ୟକାର, କବି ତଥା ସାମ୍ବାଦିକ ମାୟାଧର ସରାଫ ଏହି କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ l ଜିଲ୍ଲାର ନୂଆପଡା, ଖରିଆରରୋଡ, ଖଡିଆଳ, କୋମନା, ସିନାପାଲି ଓ ବୋଡ଼େନ ବ୍ଲକର ଯୁବ ଓ ବରିଷ୍ଠ କବି ଏବଂ କବୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରି ସ୍ବରଚିତ ଓଡ଼ିଆ, କୋଶଳୀ, ହିନ୍ଦୀ ଓ ଇଂରାଜୀ କବିତା ପାଠ କରି ଥିଲେ l କବିଙ୍କ କବିତାରେ ନୂଆପଡା ଜିଲ୍ଲାର ଐତିହ୍ୟ, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନାର ଶବ୍ଦ ଛନ୍ଦରେ କବିତା ପାଠୋତ୍ସବ ମୁଖରିତ ହୋଇ ଥିଲା l ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ୍ ଜ୍ଞାପନ କରିଥିଲେ l ଏହାପରେ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ l ଏଥିରେ ତୁଷୁରାର ଘୁଡୁକା ଦଳ, ସିନାପାଲି ବ୍ଲକ କଳାକାରମାନଙ୍କ ଘୋଡାନାଚ, ବୋଡେ଼ନ ବ୍ଲକ କଳାକାରମାନଙ୍କ ରାମକାଠି, ନୂଆପଡା ମାନସିକ ଅନଗ୍ରସର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଡାଲଖାଇ, ସରକାରୀ ହାଇସ୍କୁଲ ମେଣ୍ଢାତାଳର ଲୋକନୃତ୍ୟ ଓ ନବଜ୍ୟୋତି ବିଦ୍ୟାଳୟ ଖରିଆର ରୋଡର ମିକ୍ସ ନୃତ୍ୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା l କାର୍ଯ୍ୟକ୍ରମକୁ ବିଜ୍ଞାନ ପରିଦର୍ଶକ ଗିରିଧାରୀ ସାହୁ, କଳାକାର ବିଭୁଦତ୍ତ ମିଶ୍ର, ଡିଆଇପିଆରଓ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l