ଭୁଲିଆ ଜାତିର ଅସ୍ମିତା ‘ମଙ୍ଗାଶାଲ’ ସିନାପାଲି ଭୁଲିଆ ଯୁବା ମଂଚର ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ….

ନୂଆପଡ଼ା(ବିରବଲ ପ୍ରଧାନ): ସିନାପାଲି ସ୍ଥିତ ମେହେର ଯୁବାମଂଚ ତରଫରୁ ରବିବାର ନୂଆଁଖାଇ ଭେଟଘାଟ “ମଙ୍ଗାଶାଲ” ମହାସମାରୋହରେ ଅନୁଷ୍ଠିତ ହୋଇଛି l ସକାଳୁ ଗ୍ରାମ୍ଯଦେବୀ ମାଁ ମହୁଲଗଛିଏନ୍ ପୀଠରୁ ଯୁବାମଂଚ ସଦସ୍ଯ ଆଜ୍ଞାମାଳା ଧରି ଆସିଲା ପରେ ସିନାପାଲି ଗଙ୍ଗାଧର ମାର୍ଗରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ କରାଯାଇଥିଲା l ଏହା ପରେ ମଣ୍ତି ପଡ଼ିଆ ଠାରେ ଯୁବାମଂଚର ସଭାପତି ଆଲୋକ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥି ଭାବରେ ନିଖିଳ ଓଡ଼ିଶା ମେହେର ସମାଜ ଉପଦେଷ୍ଟା ଡମ୍ବରୁଧର ମେହେର ଓ ମୁଖ୍ଯବକ୍ତା ଭାବରେ ନୂଆପଡ଼ା ଜିଲ୍ଲା ମେହେର ଯୁବା ମଂଚ ଉପଦେଷ୍ଟା ବୈଷ୍ଣବ ମେହେର ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ରାଜ୍ଯ ମେହେର ସମାଜର ସଂପାଦକ ନବୀନ ଚଂଦ୍ର ମେହେର, ଜିଲ୍ଲା ସଂପାଦକ ଝର ମେହେର, ଯୁବା ମଂଚ ମହିଳା ପ୍ରତିନିଧି ଭାର୍ଗବୀ ମେହେର ଉପସ୍ଥିତ ଥିଲେ l ସାମାଜିକ ଏକତ୍ରୀକରଣ ସହ ଜାତିର ସଂସ୍କୃତି ଓ ଶୃଙ୍ଖଳାକୁ ବଜାୟ ରଖି ପରସ୍ପର ମଧ୍ଯରେ ସହଭାଗିତା ରକ୍ଷା ନିମନ୍ତେ ନୂଆଁଖାଇ ଭେଟର ଭୂମୀକା ମହତ୍ୱପୂର୍ଣ୍ଣ ବୋଲି ସଭାରେ ମତ ପ୍ରକାଶ ପାଇଥିଲା l ଏଥିସହ ମଙ୍ଗାଶାଲ ନାଁରେ ଏହି ଭେଟଘାଟ୍ ଭୁଲିଆ ଜାତିର ଅସ୍ମିତାର ପରିଚୟ ବୋଲି ଅତିଥିମାନେ ମତ ବ୍ଯକ୍ତ କରିଥିଲେ । ପ୍ରାରମ୍ଭରେ ସାନୁଜ ମେହେର ମଂଚକୁ ସ୍ୱାଗତ କରିଥିବା ବେଳେ କଣ୍ଠଶିଳ୍ପୀ ତ୍ରିନାଥ ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ବୁଦ୍ଧଦେବ ମେହେର ପ୍ରାରମ୍ଭିକ ବକ୍ତବ୍ଯ ଓ ପ୍ରବୀଣ ମେହେର ବିବରଣୀ ପଠନ କରିଥିଲେ । ଏହି ଅବସରରେ ଉଭୟ ମହିଳା ଓ ପୁରୁଷମାନଙ୍କ ପାଇଁ ଭିନ୍ନଭିନ୍ନ ୧୫ଟି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏହାର ବିଜେତାମାନଙ୍କୁ ମଂଚରେ ପୁରସ୍କୃତ କରାଯାଇଥିଲା l ସଭା ଶେଷରେ ପ୍ରଭାତ କୁମାର ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ l ସଭା ପରେ ଏସଏସକେପି ସହଯୋଗରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମକୁ ଉପସ୍ଥାପକ ନରସିଙ୍ଗ ମେହେର, ମେଘା ମେହେର ଓ ସୁଦର୍ଶନ ମେହେର ପରିଚାଳନା କରିଥିଲେ l ସମ୍ବଲପୁରୀ ନାଟକ “ଭିନେ” କାର୍ଯ୍ଯକ୍ରମର ମୁଖ୍ଯ ଆକର୍ଷଣ ଥିଲା l କାର୍ଯ୍ଯକ୍ରମରେ ସିନାପାଲି ସମେତ ଆଖପାଖ ମେହେର ଗ୍ରାମରୁ ଶହଶହ ସଂଖ୍ଯାରେ ମେହେର ସମାଜର ମହିଳା ପୁରୁଷ ଯୋଗ ଦେଇ ଥିବା ବେଳେ କାର୍ଯ୍ଯକ୍ରମ ସଫଳତାରେ ଯୁବା ମଂଚର ସମସ୍ତ ସଭ୍ଯସଭ୍ଯା ସହଯୋଗ କରିଥିଲେ ।