ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ ଖାନ): ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆଜି ବୌଦ୍ଧ ସହର ସ୍ଥିତ କଚେରୀ ପଡିଆ ଠାରେ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ମସ୍ଚ୍ୟା ଓ ପ୍ରାଣୀ ସଂପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ମେଳାକୁ ଉଦଘାଟନ କରିବା ସହିତ ବୌଦ୍ଧ ଜିଲ୍ଲା ହେଉଛି ବୁଦ୍ଧଙ୍କ ମାଟି ଓ କଳା ସଂସ୍କୃତିର ମାଟି, ରାଜ୍ୟ ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପାଳନ କରୁଛି । ନିର୍ବାଚନ ସମୟରେ ସରକାର କଥା ଦେଇଥିଲା ଲୋକଙ୍କ ସାମାଜିକ ବିକାଶ ହେବ, ବୌଦ୍ଧିକ ବିକାଶ ହେବ, କୃଷି ଓ କୃଷକର ବିକାଶ ହେବ, ମହିଳା ମାନଙ୍କର ବିକାଶ ହେବ । ଏବେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଶହେ ଦିନରେ ମହିଳାମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁଭଦ୍ରା ଯୋଜନା ଆଣିଛନ୍ତି । ଏହି ଯୋଜନାରେ ଓଡିଶାର ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ମହିଳା ଲାଭାନ୍ନିତ ହେବେ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ପାଂଚଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ଯଦି ଗୋଟିଏ ଜାତିକୁ, ଗୋଟିଏ ଦେଶକୁ କ୍ଷ୍ମର୍ଣ୍ଣ କରିବାକୁ ଧ୍ୱଂସ କରିବାକୁ ହେଲେ ବାରୁଦର ଆବଶ୍ୟକତା ନଥାଏ । ତାର କଳା ସଂସ୍କୃତି, ଶିକ୍ଷାକୁ ଧ୍ୱଂସ କରିଦେଲେ ସେ ଜାତି ଆପେ ଆପେ ଧ୍ୱଂସ ହୋଇଯିବ ବୋଲି ମନ୍ତ୍ରୀ ଶ୍ରୀମଲ୍ଲିକ କହିଥିଲେ । ବିଜେପି ଗଲା ସରକାରକୁ ହଟାଇ ଓଡିଆ ଅସ୍ମିତାର ରକ୍ଷା କରିପାରିଛି । ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ସେ କହିଥିଲେ ଏହି ସରକାର ହେଉଛି ଲୋକମାନଙ୍କର ସରକାର, ଲୋକମାନଙ୍କ ପାଇଁ ସରକାର । ଗତ ସରକାର ସମୟରେ ଗରୀବ, ଅବହେଳିତ, ନିଷ୍ପେସିତ ଲୋକ ସେମାନଙ୍କର ହକ ପାଇବାରୁ ବଂଚିତ ହେଉଥିଲେ ହେଲେ ର୍ବମାନର ସରକାର ସେମାନଙ୍କ ବିକାଶ ପାଇଁ ଯୋଜନା କରିଛି । ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତି ଉପଲକ୍ଷେ ନିଆଯାଇଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ବର୍ତ୍ତମାନର ମୋହନ ଚରଣ ମାଝି ସରକାର ବୌଦ୍ଧ ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଡାକ୍ତର ପଦବି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଡାକ୍ତରଖାନାର ନୂତନ ବିଲଡିଂ କାମ ତ୍ୱରାନ୍ୱିତ କରାଯାଇଛି । ଖୁବ ଶିଘ୍ର ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ତାହାକୁ ଉଦଘାଟନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଜିଲ୍ଲାରେ କୃଷିର ବିକାଶ ପାଇଁ ଚାଷଜମିକୁ ଜଳସେଚନ ପାଇଁ ଗୁରୁଜୀମୁଣ୍ଡା ପ୍ରକଳ୍ପ କାର୍ଯ୍ୟର ସର୍ଭେ ଆରମ୍ଭ ହୋଇଛି । ଚାଷୀମାନଙ୍କ ପାଇଁ ଏମଏସପି ୩୧ ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଭୂମିହୀନକୁ ଚାରି ଡିସିମିଲ ଜାଗା ଦେବାକୁ ସରକାର ଘୋଷଣା କରିଛନ୍ତି । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ପାଂଚ ବର୍ଷରେ ୫୦ ହଜାର ଟଙ୍କା ଦେବାର ପ୍ରାବଧାନ ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରାଜ୍ୟରେ ଡବଲ ଇଂଜିନର ସରକାର ଚାଲିଛି । ରାଜ୍ୟରେ ବିକାଶ ହେଉଛି । ବହୁତ କମ ଦିନ ମଧ୍ୟରେ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ସଂପୂର୍ଣ୍ଣ ହେବ । ସେଥିପାଇଁ ଯୁଦ୍ଧକାଳିନ ଭିତିରେ କାର୍ଯ୍ୟ ଚାଲିଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଣ୍ଟlମାଳ ବିଧାୟକ କହାଁଇ ଚରଣ ଡାଙ୍ଗ ଯୋଗଦେଇ ରାଜ୍ୟ ସରକାରଙ୍କର ୧୦୦ ଦିନ ମଧ୍ୟରେ ହୋଇଥିବା ବିକାଶ ଓ ଆଗକୁ ନିଆଯାଇଥିବା ବିଭିନ୍ନ ବିକାଶ ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚାରି ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା । ଏଆରସିଏସ ହାଡିବନ୍ଧୁ ମହାକୁଡ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରମାଣ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏସପି ରାଜ ପ୍ରସାଦ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ, ଓରମାସ ଅଧିକାରୀ ଶିବାଶିଷ ଦାସ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।