ଦାରିଙ୍ଗବାଡ଼ି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ପର୍ଯ୍ୟଟକ ଓ ଦାରିଙ୍ଗବାଡ଼ିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାକ ଟେକୁଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦାରିଙ୍ଗବାଡ଼ି ଏବେ ଗଦା ଗଦା ପ୍ଲାଷ୍ଟିକ ଉପରେ ଠିଆ ହୋଇଛି । ଯାହାକି ଆଗାମୀ ପିଢ଼ି ପାଇଁ ଚିନ୍ତା ବଢ଼ାଇଛି । ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ବୁଦ୍ଧିଜୀବୀ ମହଲରେ ଏକାକୀ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଚିନ୍ତା ବଢୁଛି । ଏହାର ସଚେତନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଚିନ୍ତା କରୁଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ଦେଖାଯାଇନାହିଁ । ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ‘ସ୍ବଚ୍ଛତା ହିଁ ସେବା’ ଘୋଷଣା କରାଯିବା ସହ ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯିବା ସହ ଶପଥ ପାଠ, ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ସପ୍ତାହକୁ ୨ ଘଣ୍ଟା ସଫେଇ କରିବା ଆଦି ସଚେତନ କରାଯାଇଛି । ଚଳିତ ମାସ ୧୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯିବ । ଏହାକୁ ଗୁରୁବାର ଠାରୁ ବ୍ୟାପକ କରାଯାଇଛି । ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ବ୍ଲକ ପରିସରଠାରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ମିଶନଶକ୍ତିର ସଦସ୍ୟଙ୍କ ସମେତ ସରକାରୀ, ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇ ସଫେଇରେ ସାମିଲ ହୋଇଥିଲେ । ଏଥିସହ ସମସ୍ତେ ଶପଥ ନେଇଥିଲେ ଯେ, ଦାରିଙ୍ଗବାଡ଼ିକୁ ସ୍ବଚ୍ଛତା ରଖିବା ପାଇଁ ସପ୍ତାହକରେ ୨ ଘଣ୍ଟା ଅଞ୍ଚଳରେ ସାମୁହିକ ବା ବ୍ୟକ୍ତିଗତ ସଫେଇ କରିବେ । ଏହା ବର୍ଷ ତମାମ ଜାରି ରଖିବାକୁ ଶପଥ ନେଇଥିଲେ । ଅନ୍ୟ ଦେଶ ଯେଉଁଭଳି ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ରଖି ତାକୁ ନଷ୍ଟ କରିଥାଏ ସେଭଳି ଅଳିଆ ଏଣେ ତେଣେ ନ ପକାଇବାକୁ ସମସ୍ତେ ଶପଥ ନେଇଥିଲେ । ସେହିପରି ମାନବଶୃଙ୍ଖଳ ମାଧ୍ୟମରେ ଦାରିଙ୍ଗବାଡ଼ିକୁ ସ୍ବଚ୍ଛତା ରଖିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମ ପାଇଁ ମିଶନଶକ୍ତିର ମହିଳାମାନେ ଆଗଭର ହେବା ସହ ମହିଳାମାନେ ଆଗକୁ ଆସିଲେ ଦେଶ ଆଗକୁ ଯିବ ବୋଲି ନାରା ଦେବା ସହ ସଫେଇ କରିଥିଲେ । ଆଜି ଠାରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତିଦିନ ଗାଁ, ପଞ୍ଚାୟତ ଓ ବ୍ଲକସ୍ତରରେ ରହିଥିବା ପର୍ଯ୍ୟଟନକ୍ଷେତ୍ର ସମେତ ଚି଼ହ୍ନଟ କରାଯାଇଥିବା ବ୍ଲାକ୍ ସ୍ପଟ୍ଗୁଡିକୁ ସଫେଇକୁ ଜୋର୍ଦାର କରାଯିବା ସହ ଲୋକଙ୍କୁ ବ୍ୟାପକ ସ୍ବଚ୍ଛତା ସମ୍ପର୍କରେ ସଚେତନ କରାଯାଇଛି ।