ବାଲିଗୁଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ଥାନୀୟ କଳାକାରଙ୍କୁ ଅଣଦେଖା ଅଭିଯୋଗ, କଳାକାର ମହଲରେ ଅସନ୍ତୋଷ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରଙ୍କ ଆବେଦନକୁ ମାଆ ପାଟ୍ଟଖଣ୍ଡା ଦୁର୍ଗା ପୂଜା ସମିତି ପକ୍ଷରୁ ଅଣଦେଖା କରାଯାଇ ଥିବା ଅଭିଯୋଗ ହୋଇଛି l ଫଳରେ ସ୍ଥାନୀୟ କଳାକାରଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି l ସୂଚନାଯୋଗ୍ୟ ଯେ ଏହି ଅନୁଷ୍ଠାନ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ କନ୍ଧମାଳ ଜିଲ୍ଲାର ସଂସ୍କୃତି ପରମ୍ପରାକୁ ନେଇ ନୃତ୍ୟ ସଙ୍ଗୀତ ନାଟକ ପ୍ରଦର୍ଶନ କରି ଜିଲ୍ଲା ରାଜ୍ୟ ସ୍ତରୀୟ ଓ ରାଜ୍ୟ ବାହାରେ କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇ ବାଲିଗୁଡ଼ା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି l ଏହି କଳା ଅନୁଷ୍ଠାନ କୁନି କୁନି କଳାକାରଙ୍କୁ ନେଇ ରାଧାପ୍ରେମ ଲୀଳା ନାଟକ ମଧ୍ୟ କୋଟଗଡ଼, ରାଇକିଆ, ତୁମୁଡିବନ୍ଧ, କ.ନୂଆଗାଁ ଏବଂ ପୂର୍ବରୁ ବାଲିଗୁଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ ଆୟୋଜିତ ଦୂର୍ଗା ପୂଜାରେ ମଧ୍ୟ ନାଟକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛି l କିନ୍ତୁ ଚଳିତ ଦଶହରା ପୂଜା ଆୟୋଜନ କରୁଥିବା ନୂତନ କମିଟି କୁନି କଳାକାରମାନଙ୍କ ଆଗ୍ରହକୁ ଗ୍ରହଣ କରିବା ପରିବର୍ତ୍ତେ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଅନୁଷ୍ଠାନର ସମ୍ପାଦକ ତଥା ବାଲିଗୁଡ଼ାର ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା l ଏପରି କି ଏହି କଳା ଅନୁଷ୍ଠାନର ଦରଖାସ୍ତକୁ ମଧ୍ୟ ଗ୍ରହଣ କରି ନଥିବାରୁ କଳାକାର ଓ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l