ବିଡିଓ ହବ ତ ଏମିତି, ଦୁର୍ଗମ ଅଞ୍ଚଳ କଲେ ପରିଦର୍ଶନ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ…..

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତର ଲିଠିଗୁଡା ଏକ ଉପାନ୍ତ ଦୁଃର୍ଗମ ଗ୍ରାମ ଅଟେ । ଏଠି ନା ଅଛି ଗମନା ଗମନ ଲାଗି ରାସ୍ତା, ନାଅଛି ପାନୀୟ ଜଳର ବ୍ୟବସ୍ଥା । ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଗ୍ରାମକୁ କେବଳ ନିର୍ବାଚନ ସମୟରେ ଲୋକେ ଆସନ୍ତି ଓ ଅନେକ ପ୍ରତିଶୃତି ଦେଇ ଚାଲିଯାଆନ୍ତି ଯାହା କେବଳ ପାଣିର ଗାର । ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟ ଦେଖା ମିଳେନି । ଭାଗ୍ୟ ବଶତଃ କିଛିଦିନ ଆଗରୁ ଏଠି ଚର୍ଚ୍ଚ ଗୃହ ମରାମତି ଲାଗି ଜିଲ୍ଲା ପରିଷଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସ୍ବୀକୃତ ହୋଇଥିବାରୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ନୂଆଗଡ ବିଡିଓ ଶ୍ରୀ ଲୋକନାଥ ଶବର । ତେବେ ଦୀର୍ଘ ବର୍ଷ ହେବ, ଗ୍ରାମକୁ କୌଣସି ବ୍ଲକ ପ୍ରଶାସନିକ ଅଧିକାରୀ ଆସି ନ ଥିବାବେଳେ ବିଡିଓଙ୍କ ଏହି ଗସ୍ତରେ ଗ୍ରାମବାସୀ ଅତ୍ୟନ୍ତ ଖୁସିହୋଇ ନିଜର ପାରମ୍ପାରିକ ବାଦ୍ୟର ତାଳେତାଳେ ନାଚଗୀତ ଏବଂ ଫୁଲମାଳ ସହ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ l  ଗ୍ରାମବାସୀ ପୁରୁଣା ଗୀର୍ଜା ଘରକୁ ପାଛୋଟି ନେଇ ଆତିଥ୍ୟ ସତ୍କାର ମଧ୍ୟ କରିଥିଲେ । ସେଠାରେ ଗ୍ରାମବାସୀ ଗ୍ରାମରେ ଥିବା ସମସ୍ତ ଦୁଃଖ ଓ ସମସ୍ୟା ଜଣେଇଥିଲେ । ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ସଂଖ୍ୟକ ଲୋକ ବସବାସ କରୁଥିବା ଏହି ଗ୍ରାମ ଆପାତତଃ ସବୁ ମୌଳିକ ସୁବିଧାରୁ ବଞ୍ଚିତ । ପକ୍କା ରାସ୍ତା ଅଭାବ ଫଳରେ ଜରୁରୀ ପରିସ୍ଥିତି ତଥା ଗର୍ଭବତୀ ଓ ରୋଗୀଙ୍କୁ ଆମ୍ବୁଲାନସ୍ ଯୋଗେ ଗ୍ରାମରୁ ଚିକିତ୍ସାଳୟ ପହଞ୍ଚାଇବା ମଧ୍ୟ କଷ୍ଟକର । ଜଳ ସମସ୍ୟା ଥିବାରୁ ଝରଣା ପାଣିକୁ ଅଟକାଇବା ପାଇଁ ପାଣିଟାଙ୍କି ନିର୍ମାଣ ଲାଗି ୨ଲକ୍ଷ ଟଙ୍କା ପଞ୍ଚାୟତ ଖର୍ଚ୍ଚ କରିଥିଲେ ମଧ୍ୟ  ସେହି ପାଣି ଟାଙ୍କି କେବଳ ଚାରିମାସର କାର୍ଯ୍ୟରେ ଆସି ବଳକା ଦିନ କାର୍ଯ୍ୟରେ ଆସୁ ନ ଥିବାରୁ ବହୁ କଷ୍ଟ ଭୋଗୁଥିବା କହିଛନ୍ତି ଗ୍ରାମର ମହିଳା । ପ୍ରାଥମିକ ଶିକ୍ଷା ପାଇଁ ଗ୍ରାମରେ ସ୍କୁଲ୍ ଅଚଳ । ଅଙ୍ଗନୱାଡ଼ି କେନ୍ଦ୍ର ଅଛି ହେଲେ କୋଠା ଗୃହ ଅସମ୍ପୂର୍ଣ୍ଣ ହୋଇରହିଛି । ତେବେ ପୂର୍ବ ସରକାରଙ୍କ ବିଭିନ୍ନ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ଗ୍ରାମବାସୀ କୌଣସି ସୁଫଳ ପାଇ ନ ଥିବା ଅଭିଯୋଗ କରିଥିଲେ ଓ୍ବାର୍ଡ ମେମ୍ବର ଆୟୁବ ମାଝୀ । ହେଲେ ଆଜି ଗ୍ରାମରେ ଏସମସ୍ତ ଅସୁବିଧା ଜାଣିବା ପରେ ପରିଦର୍ଶନରେ ଆସିଥିବା ବିଡିଓ ଶ୍ରୀ ଶବର ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ଗ୍ରାମବାସୀଙ୍କ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟସବୁ କରିବାକୁ  ଆଶ୍ବାସନା ଦେଇଥିଲେ ।  ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗଡ ପଞ୍ଚାୟତ ସମିତି ଉପାଧ୍ୟକ୍ଷ୍ୟ ନିହିମିୟା ରଇତ, ଯନ୍ତ୍ରୀ ସର୍ବେଶ୍ବର ସାହୁ, ଏପିଇଓ ଦିଲିପ କୁମାର, ସ୍ଥାନୀୟ ଯୋଗାଣ ସହାୟକ ଏବଂ ଓ୍ବାର୍ଡମେମ୍ବର ପ୍ରମୁଖ ଯୋଗଦେଇଥିଲେ ।  ତେବେ ଏହି ଗ୍ରାମର ଦୁଃଖ ଓ ସମସ୍ୟା କେବେ ଦୂର ହେବ ତାହା ସମୟ ହିଁ କହିବ ।