ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ, ବିତର୍କ ବନ୍ଦ କରି ରାଜ୍ୟର ଶିକ୍ଷା ସମସ୍ୟା ଦୂର କରିବା ଦାବିରେ ଛାତ୍ର ବିକ୍ଷୋଭ…..
ଅନୁସନ୍ଧାନ ଭାରତ(ବ୍ୟୁର): ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଅନାବଶ୍ୟକ ବିତର୍କ ବନ୍ଦ କରି ତୁରନ୍ତ ତା’ର ଭିତ୍ତିଭୂମି ବିକାଶ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନର ତାରିଖ ତୁରନ୍ତ ଘୋଷଣା କରିବା ଓ ଛାତ୍ର ଓ ଅଧ୍ୟାପକମାନଙ୍କ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା କରିବା ଦାବିରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଏଆଇଏସ୍ଏଫ୍ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା, ଏଆଇଡିଏସଓ ରାଜ୍ୟ ଉପସଭାପତି ଭାଗ୍ୟରବି ଦାସ, ଅଫିସ ସମ୍ପାଦକ ନସିମ ସରକାର, ସପ୍ତର୍ଷିନୀ ରାଉଳ, ବିନୋଦ ସେଠୀ, ତରୁଣସେନ ନାୟକ, ଇଷା ଧର, ଦେବବ୍ରତ ବେହେରା ପ୍ରମୂଖ ବକ୍ତବ୍ୟ ରଖିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ ରାଜ୍ୟରେ ଆଜି ଶିକ୍ଷା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ରାଜ୍ୟର ଅଧିକାଂଶ ଶିକ୍ଷାନୁଷ୍ଠାନରେ ଶିକ୍ଷକ, ଅଧ୍ୟାପକ ପଦବୀ ଖାଲି ପଡିଥିବା ହେତୁ ଛାତ୍ରଛାତ୍ରୀମାନେ ପାଠପଢାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଶିକ୍ଷା କର୍ମଚାରୀ ଅଭାବ ଫଳରେ ଶିକ୍ଷାନୁଷ୍ଠାନମାନଙ୍କର ଅନ୍ୟାନ୍ୟ କାର୍ଯ୍ୟ ବିଶେଷ କରି ଫଳ ପ୍ରକାଶନ, ନାମ ଲେଖାରେ ବହୁ ବିଭ୍ରାଟ ଘଟୁଛି । ଅନ୍ୟଦିଗରେ ଗତ ୨୦୧୭ ମସିହାରୁ ପ୍ରଥମେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ୨୦୧୮ ମସିହାରୁ ସମଗ୍ର ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇ ଛାତ୍ରଛାତ୍ରୀମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କକ୍ଷୁର୍ଣ୍ଣ କରାଯାଇଛି । ଏଭଳି ସମୟରେ ଏହି ସମସ୍ୟାଗୁଡିକର ସମାଧାନ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଓଡିଶାର ଗର୍ବ ଗୈାରବ ବୋଲି କୁହାଯାଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଭଳି ଅନାବଶ୍ୟକ ବିଷୟକୁ ନେଇ ଅଯଥା ବିତର୍କ ସୃଷ୍ଟି କରାଯାଇଛି । ତେଣୁ ତୁରନ୍ତ ଏହି ବିତର୍କ ବନ୍ଦ କରି ରାଜ୍ୟର ଶିକ୍ଷା ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ l ଅନ୍ୟଥା ଆଗାମୀ ଦିନରେ ରାଜ୍ୟରେ ବୃହତ ଛାତ୍ର ଆନ୍ଦୋଳନ ଗଢି ଉଠିବ ବୋଲି ଛାତ୍ର ନେତାମାନେ ଚେତାବନୀ ଦେଇଥିଲେ । ଛାତ୍ର ବିକ୍ଷୋଭ ସ୍ଥଳରୁ ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।