ଭଞ୍ଜନଗର(ନିଲୁ ବିଶୋୟୀ): ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ୫ ହଜାର ଲେଖାଏଁ ଟଙ୍କା ପଠାଯାଇଛି । ଏଥି ପାଇଁ ସବୁଠି ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ଏନେଇ ଭଞ୍ଜନଗର ଠାରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ନିର୍ବାଚନ ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଆଜି ତାହାକୁ ସରକାର କାର୍ଯ୍ୟକାରୀ କଥା ରଖିଥିବା ପ୍ରକାଶ କରିଥିଲେ । ମହିଳାମାନେ ସ୍ବାବଲମ୍ବୀ ହୋଇ ପାରିଲେ ରାଜ୍ୟର ଉନ୍ନତିରେ ତାହା ସହାୟକ ହୋଇପାରିବ । ତେଣୁ ମହିଳାଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଏଥିସହ ଏହି ଯୋଜନାରୁ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ ବୋଲି ପ୍ରକାଶ କରିଥିଲେ । ଅଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମ ସିଧା ପ୍ରସାରଣ ହୋଇଥିବା ବେଳେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର, ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ବିଡିଓ ମନ୍ମଥ କୁମାର ନାୟକ, ଏନ୍ଏସି ଇଓ ମୂରଲୀକୃଷ୍ଣ ପଣ୍ଡା, ସିଡିପିଓ ମିଲିମା ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅତିଥିମାନେ ଉପସ୍ଥିତ ରହିଥିବା ଜନପ୍ରତିନିଧି, ସରପଞ୍ଚ, ସମିତିସଭ୍ୟ, କାଉନସିଲରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଯୋଜନାରେ ସାମିଲ ପାଇଁ ଭଞ୍ଜନଗର ବ୍ଳକରେ ୬୯ଟି ଜନସେବା ଓ ୧୧ଟି ମୋ ସେବା କେନ୍ଦ୍ର ଚୟନ କରାଯାଇଥିବା ଜଣାପଡିଛି । ସେହପରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୧ଟି ଜନସେବା କେନ୍ଦ୍ରରେ ଏଥିପାଇଁ ଅବେଦନ ଜାରି ରହିଛି । ଭଞ୍ଜନଗର ବ୍ଳକରେ ପ୍ରାୟ ୧୯ ହଜାରରୁ ଉର୍ଦ୍ଧ୍ବ ମହିଳା ଏଥି ନିମନ୍ତେ ଆବେଦନ କରିଥିବା ବେଳେ ଏନ୍ଏସିରେ ୨ ହଜାର ଜଣ ଆବେଦନ କରିଥିବା ଜଣାପଡିଛି ।