ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ମିନି ଷ୍ଟାଡିୟମ୍ ଠାରେ ଆଜି ସୁଭଦ୍ରା ଯୋଜନା ବ୍ଲକ ସ୍ତରୀୟ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ଵାଗତ ଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କିନ୍ତୁ ସୁଭଦ୍ରା ଯୋଜନା ହିତାଧିକାରୀ ମହିଳାମାନଙ୍କ ପାଇଁ କିଛି ବ୍ୟବସ୍ଥା ହୋଇ ନଥିବା ଅଭିଯୋଗ କରି ନାମ ପ୍ରକାଶ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି କିଛି ମହିଳା । ମହିଳାଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ନଥିବା, ପର୍ଯ୍ୟାପ୍ତ ପରିମାଣର ଚେୟାର ନ ଥିବାରୁ ମହିଳାମାନେ କାର୍ଯ୍ୟକ୍ରମ ସମୟରେ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଥିଲା l ମା ମାନଙ୍କ ପ୍ରତି ଏହା କି ପ୍ରକାର ସମ୍ମାନର ବିଷୟ ବୋଲି ଚର୍ଚ୍ଚା ଚାଲିଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଦଳୀୟ ନେତାମାନଙ୍କୁ ପ୍ରାଥମିକତା ଦିଆଯିବା ଲକ୍ଷ୍ୟ କରାଯାଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ଚେୟାର ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏସଂପର୍କରେ ଜୀବିକା ମିଶନ ବିପିଏମ ସନ୍ତୋଷ ଜନକ ଉତ୍ତର ରଖି ନ ଥିଲେ । ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆକାଶ କୁମାର ପଣ୍ଡା ଘଟଣାର ସତ୍ୟତା ତଦନ୍ତ କରିବେ ବୋଲି ଆମ ପ୍ରତିନିଧିଙ୍କୁ ଫୋନ୍ ମାଧ୍ୟମରେ କହିଛନ୍ତି ।