ହିଞ୍ଜିଳିକାଟୁ (ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ବ୍ଳକ୍ ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ପଂଚାୟତରେ ଏକ ଦୁଃଖ ଭରା କରୁଣ କାହାଣୀ ସାମ୍ନାକୁ ଆସିଛି । ଜନ୍ମ କଲା ମା’ର ଆଶା ଥିଲା ପୁଅ ବଡ଼ ହେବ ନିଜ ଗୋଡ଼ରେ ନିଜେ ଠିଆ ହେବ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଯେଉଁ ଆଶା ନେଇ ମାଆ ସପନ ଦେଖିଥିଲା ସେ ସ୍ବପ୍ନ ଆଜି ଧୂଳିସାତ ହୋଇ ଯାଇଛି । ସାହାରା ଦେବା ରୋଜଗାରିଆ ପୁଅ କିଡିନୀ ରୋଗରେ ପଡି ନିଜେ ସହାୟତା ମାଗୁଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ପୁଅର କିଡ୍ନୀ ଦୁଇଟି ଖରାପ ହୋଇଥିବା ଡାକ୍ତର କହିଥିଲେ । ଚିକିତ୍ସା ପାଇଁ ଜନ୍ମ କଲା ମା ଏକ କିଡ୍ନୀ ପୁଅକୁ ଦେଇ ନିଜେ ରୋଗାକ୍ରାନ୍ତ ହୋଇପଡିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର ଦୁର୍ବନ୍ଧ ଗ୍ରାମ ବେଲପଡା ସାହିର ସ୍ବର୍ଗତ ଲୋକନାଥ ସାହୁଙ୍କ ୨୪ ବର୍ଷୀୟ ପୁଅ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷେତ୍ରରେ। ବାପଛେଉଣ୍ଡ ପୁଅ, ମା ର ଦୁଃଖ ବୁଝିବା ପରିବର୍ତ୍ତେ ସେ ଏବେ କିଡ୍ନୀ ରୋଗରେ ରୋଗାକ୍ରାନ୍ତ । ସେ ଦୁଇ ମାସ ହେବ ଭୁବନେଶ୍ୱର ସ୍ଥିତ ଆମ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଏବେ ଉଭୟ ମାଆ ପୁଅ ଭୁବନେଶ୍ୱର ସ୍ଥିତ ଆମ୍ରୀ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଉଛନ୍ତି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଡକ୍ଟରଙ୍କ କହିବା ମୁତାବକ ପ୍ରାୟ ୬ଲକ୍ଷ ଟଙ୍କା ଦରକାର । ଏହା ଶୁଣି ପରିବାର ଲୋକ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହି ଖବର ବିପଦର ବନ୍ଧୁ ସଙ୍ଗଠନ ପାଖରେ ପହଞ୍ଚିବା ପରେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟମାନେ ତାଙ୍କ ଘରେ ପହଞ୍ଚି ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ତାଙ୍କ ଘରେ ବିପଦର ବନ୍ଧୁ ଓଡ଼ିଶା ସଂଗଠନର ପ୍ରତିଷ୍ଠାତା ଜି.ଶିବରାମ ପାତ୍ର, ସମ୍ପାଦକ କୃଷ୍ଣଚନ୍ଦ୍ର ସୁଆଁସିଆ, ନୀଳାଞ୍ଚଳ ମୁନି, ସୁଶାନ୍ତ ସିଅ, କାହ୍ନା ସାହୁ, ସନ୍ତୋଷ ମହାନ୍ତି ଏବଂ ହିଞ୍ଜିଳିକାଟୁ ବ୍ଲକ ମୁଖ୍ୟ ନୀଳ ଭଉଳଙ୍କ ଉପସ୍ଥିତିରେ କୃଷ୍ଣଙ୍କ ଆଇଙ୍କୁ ୪୧,୦୦୦ ସହାୟତା ରାଶିକୁ ପ୍ରଦାନ କରିଥିଲେ । ସଂଗଠନର ଏଇଭଳି କାର୍ଯ୍ୟକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିବା ସହ କୃଷ୍ଣର ଆଶୁ ଆରୋଗ୍ୟ ପାଇଁ ଚିନ୍ତା ପ୍ରକଟ କରିଥିବା ଦେଖିବାକୁ ମିଳିଛି ।