ଦାରିଙ୍ଗବାଡିରେ ସୁଭଦ୍ରା ଯୋଜନା ସଚେତନ ପଦଯାତ୍ରା ଅନୁଷ୍ଠିତ…
କେହି ବାଦ୍ ପଡ଼ିବେନି ୧୭ ତାରିଖ ପରେ ମଧ୍ୟ ପଞ୍ଜିକରଣ କରିପାରିବେ ଯୋଗ୍ୟ ହିତାଧିକାରୀ: ଗୋଷ୍ଠୀଉନ୍ନୟନ ଅଧିକାରୀ, ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରବିବାର ଦିନ ପଦଯାତ୍ରା ମାଧ୍ୟମରେ ଜନସଚେତନ ସୃଷ୍ଟି କରାଯାଇଛି । ବିଡିଓ ଗଦାଧର ପାତ୍ର ଏବଂ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଏହି ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇଆସି ରମେଶ ପ୍ରଧାନଙ୍କ ସମେତ ମହିଳା ମିଶନଶକ୍ତିର ଶତାଧିକ ମହିଳା, ଅଙ୍ଗନଓ୍ବାଡି କର୍ମୀ, ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରାଟି ମହିଳା ଓ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପରିସର ମଧ୍ୟରୁ ବାହାରି ଚାରି ଛକ ଦେଇ ତିନିଛକ ଦେଇ ବ୍ଲକ ଅଫିସରେ ପହଞ୍ଚିଲା । ସେଠାରେ ଏହି ଯୋଜନାକୁ ନେଇ ବ୍ୟାପକ ସଚେତନ କରାଯାଇଥିଲା । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ ନେଇ ତତ୍ପରତା ବୃଦ୍ଧି ପାଉଛି । ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡିକରେ ମଧ୍ୟ ଏହି ଯୋଜନାକୁ ନେଇ ୨୧ ବର୍ଷଠାରୁ ୬୦ ବର୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଛି । ତେବେ ଏହି ଯୋଜନାରେ କିଭଳି ସମସ୍ତ ହିତାଧିକାରୀ ସଫକତାର ସହ ନିଜ ନାମ ପଞ୍ଜୀକୃତ କରିବେ ତାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରୟାସ କରୁଛନ୍ତି ।