ରାଉରକେଲା – ହାଓଡା ବନ୍ଦେ ଭାରତ ଶୁଭାରମ୍ଭ…

ବନ୍ଦେ ଭାରତ ଏକ୍ସେପ୍ରେସ ଏକ ବିକଶିତ ଭାରତର ପ୍ରତୀକ : ରାଜ୍ୟପାଳ

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରାଉରକେଲା- ହାଓଡା ବନ୍ଦେ ଭାରତ ଏକ୍ସପ୍ରେସକୁ  ଆଜି ଆଭାସୀ ମାଧ୍ୟମରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି ଅବସରରେ  ରାଉରକେଲା ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ  ଓଡିଶାର ମାନ୍ୟବର  ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ  ଉପସ୍ଥିତ ଥିଲେ l ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ  କହିଛନ୍ତି ଯେ ୨୧ ତମ ଶତାବ୍ଦୀରେ ଭାରତର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ ସୁଗମ କରିପାରିଲେ  ହିଁ ବିକାଶ ଦ୍ରୁତ ଗତିରେ ହୋଇ ପାରିବ l  ଲୋକଙ୍କ ଜୀବନ ସ୍ତରକୁ  ସ୍ପିଡ ବା  ଗତି ସୁଗମ ଓ ବ୍ୟବସ୍ଥିତ କରିପାରିବ l ଦେଶ ସ୍ବାଧୀନ ହେବା ପରେ ବାମ୍ଫ ଚାଳିତ ଇଂଜିନରୁ ଆରମ୍ଭ କରି ଆଜି ୫୨ ସେକେଣ୍ଡରେ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଗତି କରୁଥିବା ସ୍ବଦେଶୀ ବନ୍ଦେ ଭାରତ ଟ୍ରେନ ଦେଶରେ ଆରମ୍ଭ ହୋଇଯାଇଛି l  ଦେଶକୁ ଦ୍ରୁତ ଗତିରେ ବିକାଶ ଆଡକୁ ଗତି କରିବା ଲାଗି  ସବୁ ସ୍ତରରେ ଯୋଗାଯୋଗର ମାଧ୍ୟମକୁ ସୁଗମ କରିବାକୁ ପଡିବ l ଏଥିପାଇଁ  ଆବଶ୍ୟକ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ l ମାନ୍ୟବର ରାଜ୍ୟପାଳ କହିଛନ୍ତି ଯେ ବନ୍ଦେ ଭାରତ  ଏକ୍ସପ୍ରେସ ଏକ ବିକଶିତ ଭାରତର ପ୍ରତୀକ l ବନ୍ଦେ ଭାରତ ନୂତନ ଉତ୍ସାହର ପ୍ରତୀକ l  ଏହି ବନ୍ଦେ ଭାରତ ଅତି ଶୀଘ୍ର ଦେଶର ସବୁ ପ୍ରମୁଖ ସ୍ଥାନକୁ ସଂଯୋଗ କରିପାରିବ l  ଓଡିଶାରେ ଭାରତୀୟ ରେଳବାଇ ପକ୍ଷରୁ ଆଜି ୨ ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯାଉଛି l  ରାଉରକେଲା – ହାଓଡା ବନ୍ଦେ ଭାରତ ଯାତାୟାତ ଯୋଗୁଁ ଛାତ୍ରମାନେ, ଯୁବବର୍ଗ, ବ୍ୟବସାୟୀମାନେ ଲାଭବାନ ହେବେ l ଏହି ଅବସରରେ ରାଜ୍ୟପାଳ ବିଭିନ୍ନ ପ୍ରତିଯୋଗିତାରେ କ୍ରୁତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ସୂଚନା ଯୋଗ୍ୟ ଯେ ରାଉରକେଲା- ହାଓଡା ବନ୍ଦେଭାରତ ଏକ୍ସପ୍ରେସ ୧୮ ତାରିଖରୁ ନିୟମିତ ଚଳାଚଳ କରିବ l ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସୁନ୍ଦରଗଡ ଜିଲ୍ଲାପାଳ ମନୋଜ ମହାଜନ, ଡିଆଇଜି ନୀତି ଶେଖର , ଦକ୍ଷିଣ-ପୂର୍ବ ରେଲଓ୍ବର ଏଜିଏମ ସ୍ବମିତ୍ର ମଜୁମଦାର,  ଚକ୍ରଧରପୁର ଡିଭିଜନର ଏଡିଆରଏମ ଅଜିତ କୁମାର ସମେତ ରେଳବାଇର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l