ଘରେଘରେ ‘ସୁଭଦ୍ରା’ ଉତ୍ସାହ, ଗ୍ରାମାଞ୍ଚଳରେ ସଚେତନତା ଶୋଭାଯାତ୍ରା….

ଭଞ୍ଜନଗର(ନିଲୁ ବିଷୋୟୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ ରେ ଓଡିଆ ଗସ୍ତରେ ଆସିବେ । ଭୁବନେଶ୍ୱରର ଜନତା ମଇଦାନରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଏହା ପୁର୍ବରୁ ବିଭିନ୍ନ ସ୍ଥାନରେ ସୁଭଦ୍ରା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଏଲଏଫ୍ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ସ୍ବୟଂ ସହାୟିକା ଦଳର ସଦସ୍ୟମାନେ ସାମିଲ ହୋଇଥିଲେ । ନିର୍ବାଚନ ପୂର୍ଵରୁ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାଜପା ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଗତ ମାସ ଶେଷ ସପ୍ତାହରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଉ ବର୍ତ୍ତମାନ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ ଚାଲିଛି । ଭଞ୍ଜନଗର ଉପଖଣ୍ଡର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଫର୍ମ ଆବଣ୍ଟନ କରାଯାଇଥିଲା । ପ୍ରଥମାର୍ଦ୍ଧରେ ଆବେଦନ ପ୍ରକ୍ରିୟା ବିଳମ୍ବ ହୋଇଥିଲା । ପରେ ସୁଭଦ୍ରା ଆବେଦନ ସରଳ ହେବା ପରେ ହଜାର ହଜାର ମହିଳା ଏଥିପାଇଁ ଆବେଦନ କରିଛନ୍ତି । ବର୍ତ୍ତମାନ କୌଣସି ଓଟିପି ଦାଖଲର ଟେନଶନ୍ ନାହିଁ । ସିଧାସଳଖ ପୁରଣ ହୋଇଥିବା ଫର୍ମ ଓ ଆଧାର କାର୍ଡ ଦାଖଲ କରିଦେଲେ ପଞ୍ଜିକରଣ ହୋଇଯାଉଛି । ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନା ଲୋକାର୍ପଣ କରିବା ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ । ଏଥିପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗାଁ ଗାଁରେ ଘରେ ଘରେ ସୁଭଦ୍ରା ପଦଯାତ୍ରା ହୋଇଯାଇଛି ।