ଦାରିଙ୍ଗବାଡି ବ୍ଲକରେ ବୁଲିଲା ସୁଭଦ୍ରା ରଥ: ମହିଳାମାନେ ଉତ୍ସାହିତ, ଯୋଗ୍ୟ ହିତାଧକାରୀ ବଞ୍ଚିତ ନ ହେବାକୁ ପ୍ରଶାସନର ପ୍ରୟାସ….
ଦାରିଙ୍ଗବାଡ଼ି(ଆଶୋକ ସିଂ): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଯେତିକି ତତ୍ପରତା ଦେଖାଉଛନ୍ତି ସେତିକି ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପକ୍ଷରୁ ଯୋଜନାକୁ କାର୍ଯ୍ୟକାରି କରିବା ନେଇ ତତ୍ପରତା ବୃଦ୍ଧି ପାଉଛି । ସେହି କ୍ରମରେ ଗାଁ ତଥା ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ ଏହି ଯୋଜନାକୁ ନେଇ ୨୧ ବର୍ଷଠାରୁ ୬୦ ବର୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ତେବେ ଏହି ଯୋଜନାରେ କିଭଳି ସମସ୍ତ ହିତାଧିକାରୀ ସଫଳତାର ସହ ନିଜ ନାମ ପଞ୍ଜୀକୃତ କରିବେ ତାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରୟାସ କରୁଛନ୍ତି । ଗତ ୩ ଦିନ ହେଲା ଗାଁ ଗାଁରେ ଏହି ଯୋଜନା ସମ୍ପର୍କରେ ଜନସଚେତନ କରିବା ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୨୫ ପଞ୍ଚାୟତରେ ସୁଭଦ୍ରା ରଥ ବୁଲୁଥିବା ବେଳେ ଶନିବାର ସୁଦ୍ଧା ପ୍ରାୟ ୧୫ଟି ପଞ୍ଚାୟତ ରଥ ବୁଲିସାରିଛି । ଶନିବାର ପ୍ଳିହେରି ସମେତ ଗ୍ରୀନବାଡ଼ି, ଦାନେକବାଡ଼ି, ପ୍ଳିହେରି ଏବଂ ସିର୍କାବର୍ଗରେ ଏହି ରଥ ପହଞ୍ଚି ଲୋକଙ୍କୁ ସଚେତନ କରିଛି । ସବୁଠି ସୁଭଦ୍ରା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଉଥିବା ବେଳେ ଘଣ୍ଟ, ହୁଳହୁଳି ସହ ନଡ଼ିଆ ଭାଙ୍ଗି ସ୍ବାଗତ କରାଯାଇଛି। ଏହି ସମୟରେ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନଓ୍ବାଡ଼ି କର୍ମୀ ଓ ଅନ୍ୟ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକୁ ବିଡିଓ ଗଦାଧର ପାତ୍ର ତଦାରଖ କରିଛନ୍ତି ।