ଭଞ୍ଜନଗରରେ ୯୪ କେନ୍ଦ୍ରରେ ଚାଲିଛି ‘ସୁଭଦ୍ରା’ ଯୋଜନାର ଆବେଦନ…..

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ବର୍ତ୍ତମାନ କ୍ରେଜ୍‌ ଜାରି ରହିଛି । ଏହାରି ମଧ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ଅପଡ଼େଟ ଆସିଛି । ଆଧାର ସହିତ ମୋବାଇ ନମ୍ବର ଲିଙ୍କ ନ ଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଏଥି ସହିତ ‘ସୁଭଦ୍ରା’ ଯୋଜନାକୁ ସମ୍ପୂର୍ଣ୍ଣ ରୂପରେ ଓଟିପି ମୁକ୍ତ କରାଯାଇଛି । ଯାହା ଫଳରେ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆବେଦନ ବେଳେ ଆଧାରରେ ମୋବାଇଲ ନମ୍ବର ଲିଙ୍କ ଏବଂ ଇ -କେୱ।ଇସି  ବ୍ୟବସ୍ଥା ହଟିବା ପରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆବେଦନ ନିମନ୍ତେ ଭଞ୍ଜନଗର ବ୍ଳକରେ ୬୯ ଆକ୍ଟିଭ ଜନସେବା ଓ ୧୪ ମୋ ସେବା କେନ୍ଦ୍ର ଏବଂ ଏନଏସି ଅଞ୍ଚଳରେ ଥିବା ୧୧ଟି ଜନସେବା କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଛି । ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଓ  ଆବେଦନ ପ୍ରକ୍ରିୟା ସମ୍ପୂର୍ଣ ମାଗଣା । ଯଦି କୌଣସି ସ୍ଥାନରେ ଟଙ୍କା ମଗାଯାଏ ତେବେ ଟୋଲ୍ ଫି ନମ୍ବରରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଭଞ୍ଜନଗର ସମ୍ମନିତ ଶିଶୁ ବିକାଶ କାଯ୍ୟାଳୟ ପକ୍ଷରୁ ଏକ ସଚେତନତା ରଥ ପରିକ୍ରମା କରୁଥିବା ବେଳେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୬୦ ହଜାରରୁ ଉର୍ଦ୍ଧ୍ବ ଫର୍ମ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଛି । ଏଥିସହ ଏନଏସି ପକ୍ଷରୁ ୪ହଜାର ଫର୍ମ ବଣ୍ଟନ ବ୍ୟବସ୍ଥା କରାଯାଇଛି । ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ଲାଭ ପାଇବେ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ସିଡିପିଓ ମିଲିମା କୁମାରୀ ପଣ୍ଡା କହିଛନ୍ତି । ଭଞ୍ଜନଗର ବ୍ଳକରେ ଗତ ବୁଧବାର ସୁଦ୍ଧା ୭୩୨୭ ମହିଳା ଆବେଦନ କରିଥିବା ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି । ସେହିପରି ଗୁରୁବାର ୪ଟା ସୁଦ୍ଧା ଏନଏସିରେ ୧୨୦୦ ମହିଳା ଆବେଦନ କରିଥିବା ଜଣାପଡ଼ିଛି । ପୂର୍ବରୁ ଆବେଦନକାରୀ ମାନେ ମୋବାଇଲ ନମ୍ବର ଲିଙ୍କ୍‌ ଓ ଆଧାର ଅପଡେଟ ପାଇଁ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ପ୍ରବଳ ଗହଳି ଲଗାଉଥିଲେ । ଏହି ଯୋଜନାରେ ଆବେଦନ କରିବା ପାଇଁ ରାତି ଅନିଦ୍ରା ହୋଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଇବାର ଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା । ଏହି ସୁଯୋଗରେ ଦଲାଲ ମଧ୍ୟ ସକ୍ରିୟ ହୋଇ ଉଠିଥିଲେ । ବର୍ତ୍ତମାନ ଆଧାର ଓଟିପି ନ ଦେଇ ମଧ୍ୟ ଫର୍ମ ସବମିଟ ହୋଇ ପାରୁଥିବାରୁ ଯୋଗ୍ୟ ମହିଳା ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।