ଦାରିଙ୍ଗବାଡି (ଆଶୋକ ସିଂ): ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ ଆହ୍ୱାନରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ୮ ଗୋଟି ଗ୍ରାମ ପଞ୍ଚାୟତର ନେତୃବୃନ୍ଦମାନଙ୍କୁ ନେଇ ଏକ ଜନ ସଚେତନତା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଜଙ୍ଗଲ ଅଧିକାର, ଜଙ୍ଗଲ ସୁରକ୍ଷା, ପରିଚାଳନା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ I ସେମାନେ କହିଥିଲେ ଯେ ସରକାର ଓ ଅମଲାତନ୍ତ୍ର ଆମକୁ ଆମ ଅଧିକାର ନଦେବା ପାଇଁ ଚକ୍ରାନ୍ତ କରୁଥିବା ବେଳେ ପୁଞ୍ଜିପତି ଓ କମ୍ପାନୀମାନେ ଆମ ଜମି ଓ ଜଙ୍ଗଲ ହାତେଇବାକୁ ସରକାରଙ୍କ ସହିତ ବୁଝାମଣା କରୁଛନ୍ତି । ଆମେ କିପରି ଆମର ଅଧିକାର ସାବ୍ୟସ୍ତ କରିବା, ପ୍ରକୃତିକୁ ବଞ୍ଚାଇବା ଓ ନିଜେ ବଞ୍ଚିବା, ସେ ସମ୍ପର୍କରେ ଆଜି ଚିନ୍ତା କରିବା ଅତ୍ୟନ୍ତ ଜରୁରୀ I ରାସାୟନିକ ସାର ଓ ବିଷ ପରିତ୍ୟାଗ କରି କିପରି ଜୈବିକ ପ୍ରଣାଳୀରେ ଚାଷ କରିବା, ନିଜେ ସୁସ୍ଥ ରହିବା ଓ ଅନ୍ୟକୁ ସୁସ୍ଥ ରଖିବା, ଲାଭ ଓ ଲୋଭ ପାଇଁ ନୁହେଁ, ଆମ ଆଗାମୀ ଭବିଷ୍ୟତ ବଂଶଧରମାନଙ୍କ ଉପକାର ପାଇଁ କିପରି ଉପଯୁକ୍ତ ଭାବରେ ଜଳ-ଜମି ଓ ଜଙ୍ଗଲର ଅଧିକାର ପାଇବା ଓ ତା’ର ପରିଚାଳନା କରିବା, ତାହା କାର୍ଯ୍ୟକାରୀ କରିବା ଆଜି ଜରୁରୀ I ଚାଷୀ ମୂଲିଆ ସୁରକ୍ଷା ସମିତିର ନେତା ବଳଭଦ୍ର ମଳିକଙ୍କ ସଂଯୋଜନା ଓ ସାମୁଏଲ୍ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଭିଟାମାଟି ସୁରକ୍ଷା ସଂଗଠନର ଉପଦେଷ୍ଟା ତଥା କୃଷକ ନେତା ବିଜୟ ସ୍ୱାଇଁ, ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳର ଉପଦେଷ୍ଟା ନରେନ୍ଦ୍ର ମହାନ୍ତି, ସଦସ୍ୟ କୈଳାସ ସୁନ୍ଦ୍ରାମାଝୀ, ଗଣେଶ୍ଵର ପ୍ରଧାନ, ରବିଚନ୍ଦ୍ର ପ୍ରଧାନ, ଡ୍ରିମ୍ବି କାର୍ଯୀ, ଗାନ୍ଧାରା କାର୍ଯୀମାଝୀ, ଉତ୍ତମ ପଡ୍ରା, କାମଦେବ ମଳିକ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।