ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଲାଗି ରହିଛି ବିଭିନ୍ନ ସମସ୍ୟା l ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖର ଅଭାବ ହେତୁ ଅନେକ କାର୍ଯ୍ୟ ଅଧ ପନ୍ତରିଆ ହୋଇ ପଡ଼ିରହି ଥିବା ବେଳେ ମେଡିକାଲ କର୍ମଚାରିମାନଙ୍କ ଖାମ ଖିଆଲି ମନୋଭାବ ପ୍ରଦର୍ଶନକୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୁଧବାର ଦିନ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଯାକେଶ ସାମନ୍ତ ରାୟ ବ୍ରାହ୍ମଣୀଗାଁ ମେଡ଼ିକାଲ ପରିଦର୍ଶନରେ ଆସି ଥିବା ବେଳେ ମେଡ଼ିକାଲରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅଞ୍ଚଳ ବାସୀ ତାଙ୍କୁ ଘେରିଥିଲେ l
ବ୍ରାହ୍ମଣୀଗାଁ ଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ୪୦କିମି ହେଉଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଗୁଡ଼ିକ ପ୍ରାୟ ୬୦ରୁ ୭୦କିମି ଦୂରରେ ଅବସ୍ଥିତ l ଦୁର୍ଗମ ଅଞ୍ଚଳରେ ଜରୁରୀ କାଳୀନ ରୋଗୀ ସେବା ସହ ବିଶେଷ କରି ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଆଗ୍ରହରେ ଏଠାରେ ଏକ ପ୍ରସବ କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ସୁବିଧା ଥିବାରୁ କନ୍ଧମାଳ, ଗଜପତି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଗ୍ରାମ ଗୁଡ଼ିକରୁ ଗର୍ଭବତୀ ମହିଳାମାନେ ରାତ୍ରି ଅଧରେ ମଧ୍ୟ ଜରୁରୀ କାଳୀନ ସେବା ପାଇଁ ଏଠାକୁ ଆସନ୍ତି । ଦୁଃଖର ବିଷୟ ଅନେକ ଥର ରାତ୍ରି ସମୟରେ ଡାକ୍ତର ଓ ନର୍ସମାନେ ଅନୁପସ୍ଥିତ ରହୁଥିବା ଏବଂ ଏଠି କାର୍ଯ୍ୟରତ ଡ଼ାକ୍ତର ପ୍ରାୟ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ରାତ୍ରି ସମୟରେ ଯେତେ ଡ଼ାକିଲେ ବି ଉଠନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l ଅନ୍ୟ ପକ୍ଷରେ ଡାକ୍ତର ଛୁଟିରେ ଗଲେ ତାଙ୍କ ସ୍ଥାନରେ ଅନ୍ୟ କେହି ଡାକ୍ତର ରହୁ ନ ଥିବାରୁ ରୋଗୀ ସେବା ବାଧା ପ୍ରାପ୍ତ ହେଉଛି । ଗର୍ଭବତୀ ମହିଳାମାନେ ମେଡ଼ିକାଲରେ ରହି ଚିକିତ୍ସା ହେବା ପାଇଁ କୌଣସି ସୁବିଧା ନାହିଁ । ରୋଗୀମାନଙ୍କ ସଂଖ୍ୟା ବଢୁଥିବାରୁ ଅତିରିକ୍ତ ଡାକ୍ତର ଓ ନର୍ସଙ୍କ ଆବଶ୍ୟକତା ରହିଛି । ମେଡ଼ିକାଲରେ ଭିତ୍ତି ଭୂମିର ଆବଶ୍ୟକତା ରହିଛି । ଅନେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଏହି ସମସ୍ତ ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଥିଲେ । ସମସ୍ତ ଅଭିଯୋଗ ଶୁଣିବା ପରେ ଇନଚାର୍ଜ ଡାକ୍ତର ଶ୍ରୀ ରାୟ ଲୋକଙ୍କୁ ବୁଝା ଶୁଝା କରି କାର୍ଯ୍ୟରତ ଡାକ୍ତରଙ୍କୁ ସଠିକ୍ ଭାବେ ରୋଗୀ ସେବା ପ୍ରଦାନ କରିବା କ୍ଷେତ୍ରରେ ନିର୍ଦ୍ଦେଶ ଦେବା ସହ ପ୍ରସବ ପାଇଁ ଆଉଜଣେ ନର୍ସଙ୍କୁ ନିଯୁକ୍ତି କରିବେ ଏବଂ ମେଡ଼ିକାଲ ପରିସରରେ ଅର୍ଦ୍ଧ ନିର୍ମିତ କୋଠା ଗୁଡ଼ିକୁ ପୂର୍ଣ୍ଣାଙ୍ଗ କରି ପ୍ରସୂତୀ ପ୍ରକୋଷ୍ଠ ନିର୍ମାଣ କରିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିଶ୍ରୁତି ପାଳନ କରା ନ ଗଲେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୁପ ନେବ ବୋଲି ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ ସମେତ ଉପସ୍ଥିତ ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି ।
Prev Post