ଆରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ସାହାରା ଖୋଜୁଛନ୍ତି ବେସାହାରା ବୃଦ୍ଧ ଦମ୍ପତି, ସକାଳୁ ଉଠିଲେ ଜାଣିନାହାନ୍ତି ଚାଉଳ ମୁଠାଏ ହାଣ୍ଡିରେ ପଡିବ କି ନା ନାହି, ସଞ୍ଜ ହେଲେ ଚୁଲି ଜଳିବ କି ନାହିଁ , ଆଉ ମୁଣ୍ଡ ଗୁଞ୍ଜିବା ଝାଟି ମାଟି ଘରଟି ତାଙ୍କୁ ସୁରକ୍ଷା ଦେବକି ନାହିଁ । ହଁ ଆଜ୍ଞା ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ କାମଳପୁର ଗାଁର ଷଡ଼ଙ୍ଗା ମଣ୍ଡଳ ଓ ତାଙ୍କ ଧର୍ମ ପତ୍ନୀଙ୍କ କଥା l ଷଡ଼ଙ୍ଗାଙ୍କୁ ପାଖା ପାଖି ୮୦ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଧର୍ମ ପତ୍ନୀଙ୍କୁ ୭୫ ରୁ ୭୭ ବର୍ଷ ହେବ । ଏହି ପରିଣତ ବୃଦ୍ଧ କାଳରେ ସନ୍ତାନ ସନ୍ତତି ଦେଇ ସେବା ପାଇବା ଆଶା ରଖିଥିବା ବେଳେ ସେହି ଆଶାକୁ ବି ଛଡେଇ ନେଇଛି ଦଇବ । ଉଭୟ ବୃଦ୍ଧ ଦମ୍ପତି ରହୁଥିବା ଘର କଥା ନା କହିବା ଭଲ l ଘର କହିଲେ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେନି l ଘରର ଆଗ ତାଟି କବାଟକୁ ବାରିପଟେ ମେଲା l ସରକାର ବାର୍ଦ୍ଧକ୍ୟ ଭର୍ତ୍ତା ବୃଦ୍ଧି ନେଇ ଡିଣ୍ଡୁମା ପିଟୁଥିବା ବେଳେ ଏପରି ପରିଣତ ବୟସରେ ବି ଷଡ଼ଙ୍ଗାର ସ୍ତ୍ରୀକୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନ ଥିବା କହିଛନ୍ତି ଷଡଙ୍ଗା । ଯାହା ଷଡ଼ଙ୍ଗାକୁ ମିଳୁଛି ତାହା ଉଭୟଙ୍କ ପକ୍ଷେ ଚଳିବା କଷ୍ଟ କର। ସରକାର ଆବାସ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟବରାଦ କରି ଆସୁଛନ୍ତି କିନ୍ତୁ ଷଡ଼ଙ୍ଗାଙ୍କ କ୍ଷେତ୍ରରେ ଆବାସ ଯୋଜନା ସାତ ସପନ । ତେବେ କାହା ସ୍ୱାର୍ଥରେ ଆବାସ ଯୋଜନା, କାହା ସ୍ୱାର୍ଥରେ ବାର୍ଦ୍ଧକ୍ୟ ଭତା ଆଉ କାହା ସ୍ୱାର୍ଥରେ ସମସ୍ତ ସରକାରୀ ଯୋଜନା ବୋଲି ଷଡ଼ଙ୍ଗା ମତପ୍ରକାଶ କରିଛନ୍ତି । ଗ୍ରାମର ୱାର୍ଡମେମ୍ବର ପ୍ରକାଶ ଶବର କହିଛନ୍ତି, “ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ କେହିବି କର୍ଣ୍ଣପାତ କରୁନାହାନ୍ତି l ଶେଷରେ ପରିଣତ ବୟସରେ ଉଭୟ ବୃଦ୍ଧ ଦମ୍ପତି ଭାଗ୍ୟକୁ ଆଦରି ବହୁ କଷ୍ଟରେ ଦିନ କାଟୁଛନ୍ତି । ତେବେ ଏହି ବୃଦ୍ଧବୃଦ୍ଧାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଧ୍ୟାନ ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସରପଞ୍ଚ କିବା ବ୍ଲକ ପ୍ରଶାସନ ସହ ଯୋଗାଯୋଗ ହୋଇ ପାରିନାହିଁ ।