କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରିଷଦର ସଭାପତି ଡକ୍ଟର ଦୁର୍ଗାମାଧବ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ପାଣି ମୂଖ୍ୟ ଅତିଥି, ପରିଷଦର ରାଜ୍ୟ ସଂଗଠକ ନାରାୟଣ ଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି, ବିଶିଷ୍ଠ ପ୍ରବଚକ ପଣ୍ଡିତ ଦିବାକର ନନ୍ଦ ମୁଖ୍ୟ ଆଲୋଚକ, ପରିଷଦର ଜିଲ୍ଲା ସମ୍ପାଦକ କବି ବାହାଦୂର ପାଟସାହାଣୀ, ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାଶ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ପରିଡା, ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ପରିଷଦର ଉପସଭାପତି ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଶାନ୍ତି ପାଠ କରିଥିଲେ । ସାମ୍ପ୍ରତିକ ସାମଜ ପ୍ରତି ଓଡ଼ିଆ ଭାଗବତର ପ୍ରଭାବ ଉପରେ ଆଲୋକପାତ ଓ ସାହିତ୍ୟ ଆଲୋଚନା କରାଯାଇଥିଲା । ବିଶିଷ୍ଟ ଭାଗବତ ଓ ରାମାୟଣ ପ୍ରବଚକ ପଣ୍ଡିତ ଦିବାକର ନନ୍ଦ ଜଗନ୍ନାଥ ଦାସ ଓ ଓଡ଼ିଆ ଭାଗବତ ଉପରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର କବିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନଗର ସମ୍ପାଦିକା ନିବେଦିତା ରଥଙ୍କ ସଂଯୋଜନାରେ କବିମାନେ କବିତା ପାଠ କରିଥିଲେ । ପରିଷଦର ସଦସ୍ୟଙ୍କ ସମେତ କାମାକ୍ଷାନଗରର ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।